ନବୀନଙ୍କ ପ୍ରଶ୍ନର କଡା ଉତ୍ତର ଦେଲେ ପ୍ରଭାତୀ
ସୁଭଦ୍ରା ଯୋଜନାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ନବୀନଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯୋଜନାର ରୂପରେଖ ସାମ୍ନାକୁ ଆସିବା ପରେ ଏହାକୁ ଗ୍ୟାରେଣ୍ଟି ନା ଧୂଆଁବାଣ କହି ବିଜେପି ସରକାରକୁ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏବେ କାଳିଆ ଯୋଜନା କଥା ଉଠାଇ, ମିଛ କହୁଥିବା ଲୋକକୁ ସବୁକଥାରେ ମିଛ ଦେଖାଯାଏ ବୋଲି କଟାକ୍ଷ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ପୁରୀରେ ଆୟୋଜିତ ବିଜେପି ବୈଠକରେ ପ୍ରଭାତୀ କହିଛନ୍ତି ଯେ, ଏଥର ରକ୍ଷା ବନ୍ଧନ କିସ୍ତିକୁ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାମାନଙ୍କୁ ପ୍ରଦାନ କରିବେ । ଏଥିସହ ନବୀନଙ୍କ ଟ୍ୱିଟ୍ ତଳେ କମେଣ୍ଟ ଦେବାକୁ କହିଛନ୍ତି ଯେ, କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଦେବେ କହିଥିଲେ । ୪ ହଜାର ଦେଇଛନ୍ତି, ୬ ହଜାର ଦେଖା ନାହିଁ । ମିଛ କହିଥିବା ଲୋକଙ୍କୁ ସବୁକଥାରେ ମିଛ ଦେଖାଯାଏ । ଯେହେତୁ ସେମାନେ ଓଡ଼ିଶାର ଲୋକଙ୍କୁ ଭକୁଆ ବନାଇଛନ୍ତି, ସେମାନଙ୍କୁ ଲାଗୁଛି ଆମେ ଟଙ୍କା ଦେଇପାରିବୁନି । କିନ୍ତୁ ସୁଭଦ୍ରା ଯୋଜନା ସତ୍ୟ । ଏଥିପାଇଁ ୧ କୋଟି ୮ ଲକ୍ଷ ଲୋକଙ୍କୁ ତାଲିକାଭୁକ୍ତ କରାଯାଇଛି ।