ପିଏମ-ଶ୍ରୀ ଯୋଜନାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ଦେଶରେ ୧୪,୫୦୦ ସ୍କୁଲର ହେବ ନବୀକରଣ
ନୂଆଦିଲ୍ଲୀ(ଆମ ଟିଭି): ପିଏମ-ଶ୍ରୀ ଯୋଜନାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ଦେଶରେ ୧୪,୫୦୦ ସ୍କୁଲର ହେବ ନବୀକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସମଗ୍ର ଦେଶରେ ୧୪,୫୦୦ ସ୍କୁଲର ନବୀକରଣ କରାଯିବା ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଛି। ଏହି ସବୁ ସ୍କୁଲଗୁଡିକୁ ପିଏମ-ଶ୍ରୀ ସ୍କୁଲ ଯୋଜନାରେ ନବୀକରଣ କରାଯିବ। ଯୋଜନାରେ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟକୁ ସାମିଲ୍ କରାଯାଇଛି। ଅନ୍ୟ ଏକ ନିଷ୍ପତ୍ତିକ୍ରମେ କ୍ୟାବିନେଟ୍ ରେଲଓ୍ଵେ ଜମିକୁ ଦୀର୍ଘକାଳୀନ ପାଇଁ ଲିଜ୍ରେ ନେବାକୁ ନିଷ୍ପତ୍ତି ନେଇଛି। ପିଏମ ଗତି ଶକ୍ତି ଫ୍ରେମଓ୍ଵାର୍କ ଆଧାରରେ ଏହି ଜମିକୁ ବ୍ୟବହାର କରାଯିବ। ଏହି ଜମି ଉପରେ ଆଗାମୀ ପାଞ୍ଚ ବର୍ଷରେ ୩୦୦ କାର୍ଗୋ ଟର୍ମିନାଲ ପ୍ରତିଷ୍ଠା କରାଯିବ।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ ସୂଚନା ଦେଇ କହିଛନ୍ତି, ଆଗାମୀ ୯୦ ଦିନରେ ପିଏମ ଗତି ଶକ୍ତି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପିଏମ ଶ୍ରୀ ଯୋଜନାର ଘୋଷଣା କରିଥିଲେ। ସେ ଟୁଇଟ୍ କରି ଜଣାଇଥିଲେ, ଆଜି ଶିକ୍ଷକ ଦିବସ ଉପଲକ୍ଷେ ଏକ ନୂତନ ପ୍ରୟାସର ଘୋଷଣା କରୁଛି। ପିଏମଶ୍ରୀ ଯୋଜନା ଆଧାରରେ ସମଗ୍ର ଦେଶରେ ୧୪,୫୦୦ ସ୍କୁଲର ନବୀକରଣ କରାଯିବ। ଏହାକୁ ମୋଡେଲ୍ ସ୍କୁଲ ପରି ତଥା ନୂତନ ଶିକ୍ଷା ନୀତିର ଭାବନା ଅନୁରୂପ ବିକଶିତ କରାଯିବ। ସ୍କୁଲ ଗୁଡିକୁ ଆଧୁନିକ ଶିକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯିବ। ଏଥିରେ ନୂତନ ସ୍ମାର୍ଟ ଶ୍ରେଣୀ ଗୃହ ଏବଂ ଅନ୍ୟ ଦିଗକୁ ନଜରରେ ରଖି ପ୍ରସ୍ତୁତ କରାଯିବ। ଏହା ପୂର୍ବରୁ ଜୁନରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଯୋଜନା ବିଷୟରେ ସୂଚନା ଦେଇଥିଲେ।