ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବାରୁ ୨୦୦ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କଲା ପୁଲିସ
ଲୁଧିଆନା(ଆମ ଟିଭି): ପଞ୍ଜାବ ସରକାର ବିରୋଧରେ ପ୍ରଦର୍ଶନ କରୁଥିବା ୨୦୦ ସହାୟକ ପ୍ରଫେସରକୁ ଗିରଫ କଲା ପୁଲିସ। ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପତାକା ଉତ୍ତୋଳନ ପାଇଁ ଲୁଧିଆନା ପହଞ୍ଚିଥିଲେ। ହେଲେ ସେଠାରେ ତାଙ୍କୁ ବିରୋଧ କରାଯାଇଥିଲା। ସହାୟକ ପ୍ରଫେସରମାନେ ଶ୍ରୀ ମାନଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବହୁ ସଂଖ୍ୟାର ଆସିଷ୍ଟାଣ୍ଟ ପ୍ରଫେସର ଓ ଲାଇବ୍ରେରିଆନ ଫ୍ରଣ୍ଟର ସଦସ୍ୟାମାନେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ଲୁଧିଆନାର ଗୁରୁ ନାନକ ଷ୍ଟାଡିୟମ୍ରେ ଆଡ଼କୁ ଶୋଭାଯାତ୍ରାରେ ଯାଉଥିବା ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଗିରଫ ପ୍ରଫେସର ଓ ଲାଇବ୍ରେରିଆନମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ସରାଭା ନଗର ପୁଲିସ ଷ୍ଟେସନକୁ ନିଆଯାଇଥିବା ବେଳେ ଆଉ କେତେକଙ୍କୁ ପଞ୍ଜାବୀ ଭବନରେ ଗିରଫ କରାଯାଇଥିଲା। ଏହି ସମୟରେ ପ୍ରଦର୍ଶନକାରୀଙ୍କ ସହ ପୁଲିସ କର୍ମୀମାନଙ୍କର ଯୁକ୍ତିତର୍କ ହୋଇଥିଲା।
ପ୍ରଦର୍ଶନକାରୀମାନେ ଲାଲ୍ ପତାକା ନେଇ ଗୁରୁ ନାନକ ଷ୍ଟାଡିୟମ ଆଡ଼କୁ ଯାତ୍ରା କରୁଥିଲେ। କିନ୍ତୁ ପୁଲିସ ତାଙ୍କୁ ଷ୍ଟାଡିୟମ ପାଖରେ ଅଟକାଇ ଦେଇଥିଲା। ତେବେ ତଜିନ୍ଦର କୌରନ ନାମକ ଜଣେ ପ୍ରଦର୍ଶନକାରୀ ପୁଲିସ ମହିଳାଙ୍କୁ ମାରପିଟ କରିଥିବା ଅଭିଯୋଗ ଆଣିଛନ୍ତି। ଅନ୍ୟ ଜଣେ ଆନ୍ଦୋଳକାରୀ ଯୋଧା ସିଂହଙ୍କ ସୂଚନା ଅନୁସାରେ ପଞ୍ଜାବ ସରକାର ଅଗଷ୍ଟ ୮ ତାରିଖ ଦିନ ୧୧୫୮ ସହାୟକ ପ୍ରଫେସରଙ୍କ ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ। ଯାହାକୁ ବିରୋଧ କରି ପ୍ରଫେସରମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ମାନ ସେମାନଙ୍କୁ ସମୟ ଦେଉନଥିବାରୁ ଏଭଳି ବିରୋଧ କରାଯାଇଥିଲା।