ଭୁବନେଶ୍ୱର(ଆମ ଟିଭି): ୧୯୯୯ ମହାବାତ୍ୟା ପରେ ଅନିଶ୍ଚିତ ରାଜନୈତିକ ବାତାବରଣରୁ ଜନ୍ମଲାଭ କରିଥିବା ବିଜୁ ଜନତା ଦଳକୁ ସଫଳତାର ଶୀର୍ଷରେ ପହଞ୍ଚାଇଛି ନବୀନ ପଟ୍ଟନାୟକଙ୍କ ନେତୃତ୍ବ। ରାଜନୀତିରେ ଏକଦା ସମ୍ପୂର୍ଣ୍ଣ ନୂଆ ଥିବା ନବୀନ ଏବେ କେବଳ ଓଡ଼ିଶା ନୁହେଁ ଜାତୀୟ ସ୍ତରରେ ସର୍ବାଧିକ ଆଦୃତ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିରଳ ରେକର୍ଡ କରିଛନ୍ତି। ନବୀନଙ୍କୁ ୭୬ ପୂରି ୭୭ ବର୍ଷ ଚାଲିଛି । ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୫୦ ବର୍ଷ ବୟସ ପରେ ନିଜ ରାଜନୀତିରେ ପ୍ରବେଶ କରିଥିବା ନବୀନ ଇତିମଧ୍ୟରେ ନିଜ ରାଜନୈତିକ ଜୀବନର ୨୫ ବର୍ଷ ଅତିକ୍ରମ କରିସାରିଛନ୍ତି । ସମୟ ଥିଲା ଯେତେବେଳେ ଲେଖକରୁ ରାଜନେତା ପାଲଟିଥିବା ଏହି ନେତାଙ୍କ କାର୍ୟ୍ୟଦକ୍ଷତା ନେଇ ଅନେକ ପ୍ରଶ୍ନ ଉଠାଉଥିଲେ ।
ବିଜୁ ଜନତା ଦଳ ଗଠନ କରି ମୂଳରୁ ଏହାର ସଭାପତି ରହିଆସିଥିବା ନବୀନ ପ୍ରଥମ ଦୁଇ ପାଳି(୨୦୦୦ ଓ ୨୦୦୯) ନିର୍ବାଚନରେ ବିଜେପି ସହିତ ମେଣ୍ଟ କରି ଶାସନ ଡୋରି ଧରିଥିଲେ । ମାତ୍ର ୨୦୦୯ରେ ମେଣ୍ଟ ସାଥୀ ବିଜେପିର ହାତ ଛାଡ଼ିବା ପରେ ବିଜେଡିକୁ ସଂଖ୍ୟାଗରିଷ୍ଠ ଦଳ ଭାବେ ଛିଡ଼ା କରାଇବା ସହିତ ପରବର୍ତ୍ତୀ ତିନି ପାଳି (୨୦୦୯, ୨୦୧୪ ଓ ୨୦୧୯) ନିର୍ବାଚନରେ ବିଜେଡିକୁ ଦୁଇ ତୃତୀୟାଂଶଠୁ ଅଧିକ ଭୋଟ ବ୍ୟବଧାନରେ ଜିତାଇ ନିଜର ଅପରାଜେୟତା ବଜାୟ ରଖିଛନ୍ତି । ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ଭାବେ ଆସିନ ନବୀନ ଏବେ ଓଡ଼ିଶା ଏବଂ ଭାରତବର୍ଷରେ ବିରଳ ରେକର୍ଡର ଅଧିକାରୀ ।
୧୯୯୯ ମହାବାତ୍ୟା ପରେ ସରକାର ଗଢ଼ିଥିବା ନବୀନ ବାରମ୍ବାର ବାତ୍ୟା, ବନ୍ୟା, ମରୁଡ଼ି ଭଳି ବିପର୍ୟ୍ୟୟକୁ ସାମ୍ନା କରୁଥିବା ଓଡ଼ିଶାକୁ ନୂଆ ଦିଶା ଦେଇଛନ୍ତି । ମହାବାତ୍ୟାର କରାଳ ରୂପକୁ ଖୁବ୍ ନିକଟରୁ ଦେଖିବା ପରେ ପରବର୍ତ୍ତୀ କାଳରେ ଓଡ଼ିଶାର ଚିର ସହଚର ବିପର୍ୟ୍ୟୟକୁ ମୁକାବିଲା କରିବା ଓ ଲୋକଙ୍କୁ ମରଣ ମୁହଁରୁ ରକ୍ଷା କରିବା ପାଇଁ ନବୀନ ତାଙ୍କର ପ୍ରଥମ କାର୍ୟ୍ୟକାଳରେ ପ୍ରଚଳନ କରିଥିଲେ ଓଡ଼ିଶା ବିପର୍ୟ୍ୟୟ ପରିଚାଳନା ନୀତି । ଏହାର କାର୍ୟ୍ୟକାରିତା ଦ୍ୱାରା ରାଜ୍ୟ ସରକାର ଗତ ୨୨ ବର୍ଷ ଭିତରେ ଏକାଧିକ ବାତ୍ୟା ଓ ଅନ୍ୟାନ୍ୟ ବିପର୍ୟ୍ୟୟରୁ ଲୋକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାରେ ସଫଳ ହୋଇଛନ୍ତି ।