ଚଣ୍ଡିଗଡ (ଆମ ଟିଭି): ହାଇ ଆଲର୍ଟରେ ପଞ୍ଜାବ । ହୋଇପାରେ ଆତଙ୍କବାଦୀ ଆକ୍ରମଣ । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଚଣ୍ଡିଗଡ ଓ ମୋହାଲିରେ ଆତଙ୍କୀ ହମ୍ଲା କରିବା ପାଇଁ ଷଡଯନ୍ତ୍ର ରଚୁଛି। ଏନେଇ ସୂଚନା ମିଳିବା ପରେ ପୂରା ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି।
କୁହାଯାଉଛି ଯେ, ଆତଙ୍କବାଦୀ ସଙ୍ଗଠନ ବସ୍ ଷ୍ଟାଣ୍ଡଗୁଡିକୁ ଟାର୍ଗେଟ୍ କରିପାରନ୍ତି। ଆତଙ୍କବାଦ ହମ୍ଲା ସୂଚନା ଜାରି କରାଯିବା ପରେ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି। ପୂରା ସହରରେ କଡା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି। ଚାରିଆଡେ ପେଟ୍ରୋଲିଂ କରାଯାଉଛି।
ଗୁଇନ୍ଦା ଏଜେନ୍ସିଗୁଡିକ ରାଜ୍ୟ ପୁଲିସ, ଜିଆରପି, ଷ୍ଟେଟ ଇଣ୍ଟେଲିଜେନ୍ସ ଏଜେନ୍ସିକୁ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏବଂ ଇନପୁଟ ଉପରେ କାମ କରିବାକୁ କହିଛି। ଏହି ହାଇଆଲର୍ଟର ଦିନକ ପୂର୍ବରୁ ଆତଙ୍କବାଦୀମାନେ ପଞ୍ଜାବର ୧୦ ବଛା ବଛା ରାଜନେତାଙ୍କୁ ହତ୍ୟା କରିବା ନେଇ ଯୋଜନା କରୁଥିବା ଖବର ସାମ୍ନାକୁ ଆସିଥିଲା।