ନୂଆଦିଲ୍ଲୀ (ଆମ ଟିଭି): ରୋଚକ ମୋଡ଼ରେ ବିହାର ରାଜନୀତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଏସବୁ ଭିତରେ ପିକେ ଖୋଲାଖୋଲି ଭାବେ ନୀତୀଶ କୁମାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଯଦି ବିଜେପି ସହ କୌଣସି ସମ୍ପର୍କ ନାହିଁ, ତା’ହେଲେ ନୀତୀଶ କୁମାର ନିଜ ଦଳର ସାଂସଦ ହରିବଂଶ ନାରାୟଣଙ୍କ ସିଂହଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଛାଡ଼ିବାକୁ କହିକି ଦେଖାନ୍ତୁ ବୋଲି ପିକେ ଖୋଲା ଆହ୍ୱାନ ଦେଇଛନ୍ତି। ଏହାପୂର୍ବରୁ ପିକେ ବିଜେପି ସହ ନୀତୀଶ କୁମାର ସମ୍ପର୍କ ରଖିଛନ୍ତି ଓ ହରିବଂଶ ଏହାର ମାଧ୍ୟମ ସାଜିଛନ୍ତି ବୋଲି ଦାବି କରିଥିଲେ। ଏହାକୁ ଜେଡିୟୁ ଖଣ୍ଡନ କରିବା ସହ ନୀତୀଶ କୁମାର ମଧ୍ୟ ପରୋକ୍ଷରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ବିବାଦ ଲାଗି ରହିଥିବା ବେଳେ ଆଜି ପିକେ ଗୋଟିଏ ଟ୍ୱିଟ କରିଛନ୍ତି।
ଏଥିରେ ସେ ଲେଖିଛନ୍ତି ଯେ “ଯଦି ଆପଣଙ୍କ ସମ୍ପର୍କ ବିଜେପି/ଏନଡିଏ ସହ ନାହିଁ, ତା’ହେଲେ ଆପଣ ନିଜ ଦଳର ସାଂସଦଙ୍କୁ ରାଜ୍ୟଦସଭାର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ କୁହନ୍ତୁ। ଆପଣ ସବୁବେଳେ ଉଭୟ ପକ୍ଷରେ ରହିପାରିବେ ନାହିଁ।” ଗତକାଲି ପିକେ ଦାବି କରିଥିଲେ ଯେ ୧୭ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ନୀତୀଶ କୁମାର ଏହା ମଧ୍ୟରୁ ୧୪ଥର ବିଜେପି ସମର୍ଥନରେ ଗାଦିରେ ବସିଛନ୍ତି। ପିକେ କହିଥିଲେ ଯେ “ମୁଁ ଯାହା ଜାଣିଛି ନୀତୀଶ କୁମାର ନିଶ୍ଚିତ ଭାବେ ମହାଗଠନ୍ଧନରେ ଅଛନ୍ତି। କିନ୍ତୁ ସେ ବିଜେପି ସହ ସମ୍ପର୍କ ରଖିବା ବନ୍ଦ କରିନାହାନ୍ତି।