ନୂଆଦିଲ୍ଲୀ(ଆମ ଟିଭି): ସବୁବେଳେ କିଛି ନା କିଛି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ପ୍ରତାପ ଷଡ଼ଙ୍ଗୀ । ଏହାରି ଭିତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଡାକରା ପାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ତେବେ ହଠାତ ଦୁଇ ନେତାଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ବଢିଛି ।
କୁହାଯାଉଛି ଦୁଇଦିନ ତଳେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସାଂସଦମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ସାରି ପ୍ରଧାନମନ୍ତ୍ରୀ ଯାଉଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ହଠାତ୍ ମୋଦୀଙ୍କର ନଜର ପଡ଼ି ଥିଲା । ଏହି ଭେଟଘାଟ ବେଳେ ପ୍ରତାପ ଷଡ଼ଙ୍ଗୀ ନିଜ ସଂସଦୀୟ କ୍ଷେତ୍ରରେ ଅଧିକାଂଶ ସମୟ ରହୁଛି ବୋଲି କହିଥିଲେ । ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପିଏମଓ ଆସି ଭେଟିବାକୁ କହିଥିଲେ । ଗତକାଲି ଦ୍ୱିପହର ସମୟରେ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଡାକରା ଆସିବା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଆଲୋଚନା ସାରି ପ୍ରତାପ ଷଡ଼ଙ୍ଗୀ ବାହାରକୁ ଆସିବାପରେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ପ୍ରତିକ୍ରିୟାରେ କହିଛନ୍ତି ।