ରାଜ୍ୟରେ ପୂର୍ଣ୍ଣ ପ୍ରେକ୍ଷାଳୟ ସହ ୫୦ ଦିନରେ ପହଞ୍ଚିଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’
ଭୁବନେଶ୍ୱର :ବହୁଦିନ ପରେ ଓଡିଶାରେ ଓଡ଼ିଆ ସିନେମାର ସ୍ୱର୍ଣୀମ ଯୁଗ ଫେରିଛି । ରାଜ୍ୟରେ ପୂର୍ଣ୍ଣ ପ୍ରେକ୍ଷାଳୟ ସହ ୫୦ ଦିନ ସମ୍ପୂର୍ଣ କରିଛି ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ । ଏହି ଅବସରରେ ଭୁବେଶ୍ବରର ସ୍ତୁତି ସିନେମା ହଲରେ ଅନୁଷ୍ଠିତ ହୋଇଥିଲା ଏକ ସେଲେବ୍ରେସନ୍ ଉତ୍ସବ। ଏଥିରେ ଯୋଗଦେଇଥିଲେ ଓଡ଼ିଆ ସିନେମାର ମହାନ୍ କଳାକାର ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହପାତ୍ର, ସାଂସଦ ଶ୍ରୀମତୀ ସୁଲତା ଦେଓ ,ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ,କ୍ରିଏଟିଭ୍ ହେଡ ମୁଖ୍ୟ ପ୍ରଣୟ ଜେଠୀ ,ଲାଇନ୍ ପ୍ରଡ୍ୟୁସର ଗୋପାଳ ଘଡେଇ ଓ ଚଳଚ୍ଚିତ୍ରର ସମସ୍ତ କଳାକାର ଓ ଟେକ୍ନିସିଆନ୍ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ତୁତି ସିନେମା ହଲର ମାଲିକ ବିଜେନ୍ଦ୍ର ମହାନ୍ତି (ବାବୁଲି ବାବୁ) ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଆସନ୍ତାକାଲି ଭୁବନେଶ୍ବରସ୍ଥିତ ସିନେପୋଲିସ୍ ରେ ଆୟୋଜିତ ହେବ ‘ପ୍ରତୀକ୍ଷା’ ଏକ ବିଶେଷ ସ୍କ୍ରିନିଂ ଆୟୋଜିତ ହେବ। ଏଥିରେ ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଳାକାର ଶ୍ରୀଯୁକ୍ତ ଅନୁପମ ଖେର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଉଲ୍ଲେଖ ଯୋଗ୍ୟ ଯେ ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ଵପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦ୍ଵୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ ଏକ ଓଡ଼ିଆ ଚଳଚ୍ଚିତ୍ର ସାରା ରାଜ୍ୟରେ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇବା ସହ ବଲିଉଡରେ ସଫଳତାର ଫର୍ଦ୍ଦ ଯୋଡ଼ିବାରେ ସମର୍ଥ ହୋଇଛି ।