୫୩ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଜୁରୀ ସଦସ୍ୟଙ୍କ ସହ ଦର୍ଶକଙ୍କୁ ବାନ୍ଧି ରଖିଲା ‘ପ୍ରତୀକ୍ଷା’
ଭୁବନେଶ୍ୱର ( ୨୩/୧୧ ) : ଗୋଆର ରାଜଧାନୀ ପଞ୍ଜିମରେ ଆୟୋଜିତ ୫୩ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ )ରେ ଗତକାଲି ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ପ୍ରଦର୍ଶିତ ହୋଇଯାଇଛି ଏବଂ ଜୁରୀ ସଦସ୍ୟଙ୍କ ସହ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି।

ବିଶିଷ୍ଟ ସିନେ ନିର୍ଦ୍ଦେଶକ ବିନୋଦ ଗନ୍ନାତ୍ତରା, ସିନେମାଟୋଗ୍ରାଫର ଏ କାର୍ତ୍ତିକ ରାଜା, ସଙ୍ଗୀତଜ୍ଞ ଅନନ୍ତ ଯୋଶୀ, ସିନେ ପ୍ରଯୋଜିକା ଅନୁରାଧା ସିଂ, ଅଶୋକ କଶ୍ୟପ, ଏମାନୁଏଲ ପ୍ରେମାଇଜ , ଗୀତା ଏମ’ ଗୁରୁପା, ଇମୋ ସିଂ, ଯୁଗଳ ଦେବତା ପ୍ରମୁଖ ଜୁରୀ ସଦସ୍ୟ ଭାବରେ ଯୋଗ ଦେଇଥିବା ଏହି ମହୋତ୍ସବରେ ଭାରତୀୟ ପାନୋରାମା ବିଭାଗରେ ୨୫ ଟି ଭାରତୀୟ ଭାଷାର ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବରେ “ପ୍ରତୀକ୍ଷା” ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଥିଲା । ଚଳଚ୍ଚିତ୍ରର ପ୍ରଦର୍ଶନ ପରେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର କାହାଣୀକୁ ନେଇ ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟି ଓଡ଼ିଆ ଦର୍ଶକଙ୍କ ସହ ଅଣ ଓଡ଼ିଆ ଦର୍ଶକଙ୍କୁ ମଧ୍ୟ ବାନ୍ଧି ରଖିବାରେ ସଫଳ ହୋଇଛି ।