ନୂଆଦିଲ୍ଲୀ(ଆମ ଟିଭି): ଆଜି ଦଣ୍ଡ ପାଇବ ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଘଟଣାର ମୁଖ୍ୟ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ ଅହମ୍ମଦ । ଏହାଙ୍କ ବିରୋଧରେ ଦଣ୍ଡ ଘୋଷଣା କରିବେ ଉତ୍ତରପ୍ରଦେଶ ପ୍ରୟାଗରାଜ କୋର୍ଟ । ଗୁଜରାଟର ସାବରମତୀ ଜେଲରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ହାଇପ୍ରୋଫାଇଲ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ ଅହମ୍ମଦକୁ ଅଣାଯାଇଥିଲା । ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ଘଟଣାରେ ଦଣ୍ଡ ଘୋଷଣା ହେବ । ଜେଲରେ ତା ଲାଗି ସ୍ବତନ୍ତ୍ର ବାରାକ ହୋଇଥିବା ବେଳେ ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ତାକୁ ରଖାଯାଇଛି । ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ଆତିକଙ୍କୁ ନିରାପତ୍ତା କାରଣରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗତ ୨୦୧୯ ଜୁନରୁ ଗୁଜରାଟ ସାବରମତୀ ଜେଲରେ ରଖାଯାଇଥିବା ବେଳେ ତାକୁ ଗତକାଲି ପ୍ରୟାଗରାଜ ନିଆଯାଇଥିଲା ।
ବିଗତ ୨୦୦୫ରେ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଆତିକ । ଏହା ସହ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟା ଘଟଣାର ମଧ୍ୟ ଅଭିଯୁକ୍ତ ଅଛି ଆତିକ । ଗତ ୨୦୦୫ରେ ଉମେଶ ପାଲଙ୍କୁ ଅପହରଣ ଘଟଣାରେ ଆତିକର ମୁଖ୍ୟ ଭୂମିକା ଥିଲା । ପରେ ଉମେଶଙ୍କୁ ଛାଡ଼ି ଦିଆଯାଇଥିଲା । ଅପହରଣ ମାମଲାର ଶୁଣାଣିର ଶେଷ ଦିନରେ ଅର୍ଥାତ ଗତ ଫେବ୍ରୁଆରୀ ୨୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ହତ୍ୟା କରାଯାଇଥିଲା ।