ଭୁବନେଶ୍ୱର (ଆମ ଟିଭି): ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଖୋର୍ଦ୍ଧା, ମୟୁରଭଞ୍ଜ, ଗଞ୍ଜାମ, ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ରାଷ୍ଟ୍ରପତି ପଦରେ ବସିବା ପରେ ନିଜ ଜନ୍ମମାଟି ମୟୁରଭଞ୍ଜ ରାଇରଙ୍ଗପୁରକୁ ଦ୍ୱିତୀୟ ଥର ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ରାଞ୍ଚି ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟରରେ ଆସି ଅପରାହ୍ନ ୨ଟା ୩୦ସମୟରେ ଖିଚିଂର ପାଣ୍ଡରଶିଳ ଗାଁରେ ପହଁଚିବେ ରାଷ୍ଟପ୍ରତି । ୨ଟା ୪୦ରୁ ୩ଟା ୪୫ ପର୍ଯ୍ୟନ୍ତ ରାଷ୍ଟ୍ରପତି ମା କିଚକେଶ୍ୱରୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହାପରେ ରାଇରଙ୍ଗପୁର ଦାଣ୍ଡପୋଷ ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ପାଶ୍ୱର୍ରେ ନିର୍ମାଣ ହେବାକୁ ଥିବା ହଲିଡେ ହୋମର ଭିତ୍ତିପ୍ରସ୍ଥର ସ୍ଥାପନ ସହିତ ଭିସି ଜରିଆରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ଦ୍ରୌପଦୀ ମୁର୍ମୁ । ସନ୍ଧ୍ୟାରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନକୁ ଯିବା ସହିତ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ରାତ୍ରୀଭୋଜନ କରିବା ସହ ରାତି କାଟିବେ ରାଷ୍ଟ୍ରପତି । ପରଦିନ ସକାଳେ ରାଷ୍ଟ୍ରପତି ପ୍ରଥମେ କେନ୍ଦୁଝର ଗସ୍ତରେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟର ଜାତୀୟ ସେମିନାରକୁ ଉଦଘାଟନ କରିବା ସହ କଦଳୀବାରୀ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକ ମାନଙ୍କୁ ସାକ୍ଷାତ କରିବେ । ପରେ ଅପରାହ୍ନରେ ଭୁବନେଶ୍ୱର ଗସ୍ତରେ ଆସି ଉକ୍ରଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।