ଭୁବନେଶ୍ବର (ଆମ ଟିଭି): ରାତି ପାହିଲେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ୨ ଦିନିଆ ଓଡ଼ିଶା ଗସ୍ତ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେଉଛି। ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଓ କଟକ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିସ୍ତୃତ କାର୍ୟ୍ୟକ୍ରମ ଗ୍ରହଣ କରାଯାଇଛି।
ବୁଧବାର ଦିନ ବିଭାଗୀୟ ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଫଟୋ, ଟିଭି ଓ ଲାଇଭ କମନ ଫିଡ୍ ପାଇଁ ବିଭାଗର ସଂପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀମାନେ ପରିଚୟପତ୍ର ସହିତ ଉପସ୍ଥିତ ରହି କାର୍ୟ୍ୟକ୍ରମଗୁଡ଼ିକର ବିବରଣୀ ଓ ସୂଚନା ପ୍ରଦାନ କରିବେ। ରାଷ୍ଟ୍ରପତି ଯୋଗ ଦେବାକୁ ଥିବା ଉତ୍କଳ ମଣ୍ଡପ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଧାନ ଗବେଷଣା କେନ୍ଦ୍ରଠାରେ ଆୟୋଜିତ କାର୍ୟ୍ୟକ୍ରମଗୁଡ଼ିକର ସିଧା ପ୍ରସାରଣ ପାଇଁ ଗଣମାଧ୍ୟମକୁ କମନ ଫିଡ୍ ବ୍ୟବସ୍ଥା କରାଯାଇଛି।