ମୋଦିଙ୍କୁ ଚିଠି ଲେଖିଲେ ୟୁକ୍ରେନ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ :ଯୁଦ୍ଧ ଦ୍ୱାରା କ୍ଷତିଗ୍ରସ୍ତ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିକୁ ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ଇମିନେ ଡଜାଫାରଭା ଭାରତର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ପାଖକୁ ପଠାଇଛନ୍ତି। ଏଥିସହ ଇମିନେ ଫୋନ ଯୋଗେ ମୀନାକ୍ଷୀଙ୍କ ସହ କଥା ହେବା ବେଳେ ଅଧିକ ମାନବିକ ସହାୟତା ମାଗିଛନ୍ତି।
ଏହାବାଦ ସେପ୍ଟେମ୍ବର ମାସରେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଜେଲେନସ୍କିଙ୍କୁ ଯୋଗ ଦେବା ପାଇଁ ଅନୁମତି ଦେବାକୁ ୟୁକ୍ରେନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଭାରତ ପକ୍ଷରୁ ଏପ୍ରସଙ୍ଗରେ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇନି।
ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଟ୍ୱିଟ କରିଛନ୍ତି ଯେ ମେଡିସିନ ଓ ମେଡିକାଲ ସାମଗ୍ରୀ ସହ ଅଧିକ ସଂଖ୍ୟାରେ ମାନବିକ ସହାୟତା ପାଇଁ ୟୁକ୍ରେନ ଅନୁରୋଧ କରିଛି। ଭାରତ ମଧ୍ୟ ସବୁବେଳେ ୟୁକ୍ରେନକୁ ଆବଶ୍ୟକ ମାନବିକ ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।
ୟୁକ୍ରେନ ମନ୍ତ୍ରୀ ଇମିନେ କହିଛନ୍ତି, ଯୁଦ୍ଧ କ୍ଷତି ଗ୍ରସ୍ତ ଦେଶରେ ପାଠ ଅଧାରୁ ଛାଡ଼ି ଦେଇଥିବା ବିଦେଶୀ ମେଡିକାଲ ଶିକ୍ଷାର୍ଥୀଙ୍କୁ ୟୁନିଫାଏଡ ଷ୍ଟେଟ କ୍ୱାଲିଫିକେସନ ପରୀକ୍ଷା ସେମାନଙ୍କ ଦେଶରେ ଦେଇପାରିବେ। ଏହାଦ୍ୱାରା ଯୁଦ୍ଧ ଭୟରେ ଭାରତକୁ ଚାଲି ଆସିଥିବା ହଜାର ହଜର ମେଡିକାଲ ଶିକ୍ଷାର୍ଥୀ ଉପକୃତ ହୋଇପାରିବେ।