ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ. ଶଶି ଥରୁର

0

ନୂଆଦିଲ୍ଲୀ: ମଣିପୁରରେ ଆଦିବାସୀ ଓ ପ୍ରଭାବଶାଳୀ ମଣିପୁରୀ ସମ୍ପ୍ରଦାୟଙ୍କ ମଧ୍ୟରେ ଲାଗିଥିବା ସଂଘର୍ଷ ଘଟଣାରେ ଶାସକ ‘ବିଜେପି’କୁ ସମାଲୋଚନା କରି ଆଜି କଂଗ୍ରେସ ନେତା ଶଶୀ ଥରୁର୍‌ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ଦାବି କରିଛନ୍ତି। ଥରୁର୍‌ କହିଛନ୍ତି, ଭୋଟ୍‌ ଦେଇ ‘ବିଜେପି’କୁ କ୍ଷମତାକୁ ଫେରାଇ ଆଣିବାର ମାତ୍ର ବର୍ଷକ ପରେ ମଣିପୁରର ଭୋଟର୍‌ମାନେ ଅକଳ୍ପନୀୟ ବିଶ୍ବାସଘାତକତାର ସରବ୍ୟ ହୋଇଥିବା ଭଳି ମନେ କରୁଛନ୍ତି।

ଟୁଇଟ୍‌ କରି ଶଶୀ ଥରୁର୍‌ ଲେଖିଛନ୍ତି: ପ୍ରତିଶ୍ରୁତି ଦିଆଯାଇଥିବା ଉଚ୍ଚ ପ୍ରଶଂସିତ ସୁ-ଶାସନର ଅବସ୍ଥା କ’ଣ ସଦ୍‌ବିଚାରଧାରାସମ୍ପନ୍ନ ଭାରତୀୟମାନେ ମଣିପୁରରେ ଲାଗି ରହିଥିବା ହିଂସାକାଣ୍ଡରୁ ଚିନ୍ତା କରିବା ଉଚିତ। ରାଜ୍ୟରେ ‘ବିଜେପି’କୁ କ୍ଷମତାସୀନ କରିବାର ମାତ୍ର ବର୍ଷକ ପରେ ମଣିପୁରର ଭୋଟର୍‌ମାନେ ଅକଳ୍ପନୀୟ ବିଶ୍ବାସଘାତକତାର ଶିକାର ହୋଇଥିବା କଥା ହୃଦୟଙ୍ଗମ କରିପାରୁଛନ୍ତି। ରାଷ୍ଟ୍ରପତି ଶାସନ ଜାରି ହେବାର ସମୟ ଆସିଛି; ଯେଉଁ କାର୍ଯ୍ୟ ପାଇଁ ନିର୍ବାଚିତ ହୋଇଥିଲେ, ସେଥି ପାଇଁ ସରକାର ଯୋଗ୍ୟ ନୁହନ୍ତି।

ସୂଚନାଯୋଗ୍ୟ, ସମୁଦାୟ ରାଜ୍ୟ ଜନସଂଖ୍ୟାର ୫୩%ରୁ ଅଧିକ ଥିବା ଇମ୍ଫାଲ୍‌ ଉପତ୍ୟକାର ପ୍ରାଧାନ୍ୟ-ବିସ୍ତାରକାରୀ ମଣିପୁରୀ ଓ ଆଦିମ ଜନଜାତି, ବିଶେଷକରି ପାହାଡ଼ୀ ଜିଲ୍ଲାରେ ବାସ କରୁଥିବା କୁକିସ୍‌ ସମ୍ପ୍ରଦାୟଙ୍କ ମଧ୍ୟରେ ସଂଘର୍ଷ ଲାଗିଛି। ମଣିପୁରୀମାନଙ୍କୁ ଅନୁସୂଚିତ ଜନଜାତି ବର୍ଗରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବ ଏହି ସଂଘର୍ଷର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।
ଶନିବାର ସୁଦ୍ଧା ଏହି ସଂଘର୍ଷଜନିତ ମୃତ୍ୟୁ ସଂଖ୍ୟା ୫୫ ବ‌ୋଲି ସରକାରୀ ହିସାବରୁ ଜଣାପଡ଼ିଥିଲା। କିନ୍ତୁ, ମୃତ୍ୟୁସଂଖ୍ୟା ଓ କ୍ଷୟକ୍ଷତି ଖୁବ୍‌ ଅଧିକ ବୋଲି ବେସରକାରୀସୂତ୍ରରୁ ଶୁଣିବାକୁ ମିଳୁଛି।

Leave A Reply

Your email address will not be published.