ନୂଆଦିଲ୍ଲୀ (ଆମ ଟିଭି): ଦେଶର ନାଁ ଇଣ୍ଡିଆରୁ ଭାରତ ହେବାକୁ ନେଇ ଏବେ ଜାତୀୟ ରାଜନୀତି ବେଶ୍ ଚର୍ଚ୍ଚାରେ । ସବୁଠୁ ବଡ଼ କଥା ହେଉଛି, ସେପ୍ଟେମ୍ବର ୯ ତାରିଖରେ ଏକ ରାତ୍ର ଭୋଜନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ଭାରତ’ ନାମ ଉଲ୍ଲେଖ କରି ନିମନ୍ତ୍ରଣପତ୍ର ମିଳିବା ପରେ ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଜାଣିରଖନ୍ତୁ ଯେ ଏହା ପ୍ରଥମ ଥର ପାଇଁ ହୋଇନାହିଁ। ପୂର୍ବରୁ ମଧ୍ୟ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପ୍ରାଇମ୍ ମିନିଷ୍ଟର୍ ଅଫ୍ ଭାରତ’ ବୋଲି ସରକାରୀ ନୋଟିଫିକେସନ୍ରେ ଲେଖା ଯାଇଥିଲା।
ଅଗଷ୍ଟ ମାସରେ ଦକ୍ଷିଣ ଆଫ୍ରିକାରେ ହେଉଥିବା ୧୫ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ଏବଂ ଏହା ପରେ ଗ୍ରୀସ ଗସ୍ତ କରିଥିଲେ। ଅଗଷ୍ଟ ୨୨-୨୫ରେ ଉଭୟ ଦେଶ ଗସ୍ତ ପାଇଁ ସରକାରଙ୍କ ବିଜ୍ଞପ୍ତିରେ ତାଙ୍କୁ ‘ଭାରତର ପ୍ରଧାନମନ୍ତ୍ରୀ’ ବୋଲି ଲେଖା ଯାଇଥିଲା। ଏହାବ୍ୟତୀତ ଜାତୀୟ ରାଜଧାନୀରେ ଜି-୨୦ ନେତାଙ୍କ ସମ୍ମିଳନୀ ପୂର୍ବରୁ ଭାରତୀୟ ଅଧିକାରୀଙ୍କ ପରିଚୟ ପତ୍ରରେ ‘ଭାରତ ଅଧିକାରୀ’ ବୋଲି ଲେଖା ଯାଇଥିଲା।