ନୂଆଦିଲ୍ଲୀ (ଆମ ଟିଭି): ଆଜି ମଣିପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଣିପୁରକୁ ଭେଟି ଦେବେ ପ୍ରାୟ ୮ ହଜାର ୫ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ । ୨୦୨୩ ମସିହାରେ ମଣିପୁର ହିଂସା ପର ଠାରୁ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ମଣିପୁର ଗସ୍ତ । ମଣିପୁର ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ କ୍ଷତିଗ୍ରସ୍ତ ଚୂଡ଼ାଚନ୍ଦ୍ରପୁର ଜିଲ୍ଲାରେ ୭ ହଜାର ୩ ଶହ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିସ୍ଥାପିତ ପରିବାରଙ୍କ ସହ ମଧ୍ୟ ଆଲୋଚନା କରିବେ । ପରେ ସେ ମୈତେଇ ଅଧ୍ୟୁଷିତ ଇମ୍ଫାଲରେ ୧,୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବା ସହ କାଙ୍ଗଲା ଫୋର୍ଟରେ ଜନସଭାକୁ ସମ୍ବୋଧିତ କରିବେ । ମଣିପୁର ଗସ୍ତ ପୂର୍ବରୁ ମୋଦି ପ୍ରଥମେ ମିଜୋରାମର ଆଇଜଲରେ ୯ ହଜାର କୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିବେ ।
ରାଜ୍ୟବ୍ୟାପୀ ସୁରକ୍ଷା କଡ଼ାକଡ଼ି ହୋଇଥିବା ସତ୍ତ୍ବେ ଚୁରାଚାନ୍ଦପୁରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ହୋଇଥିବା ସାଜସଜ୍ଜାକୁ କେତେକ ଦୁର୍ବୃତ୍ତ ନଷ୍ଟ କରିଥିବା ଖବର ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିଜେପି ଶାନ୍ତି ଓ ଉନ୍ନୟନର ପଦକ୍ଷେପ ବୋଲି ଦାବି କରିଥିବା ବେଳେ ମାତ୍ର କଂଗ୍ରେସ ଏହାକୁ ‘ପ୍ରତୀକାତ୍ମକ’ ଓ ସମସ୍ୟା ସମାଧାନରେ ବିଫଳ ଉଦ୍ୟମ ବୋଲି ଦର୍ଶାଇଛି । କୁକି-ଜୋ ସଂଗଠନ ଓ ‘ଅଲ୍ ମଣିପୁର ୟୁନାଇଟେଡ କ୍ଲବ୍ସ ଅର୍ଗାନାଇଜେସନ୍’ ଏହି ଗସ୍ତକୁ ପ୍ରଚାରମୂଳକ ବୋଲି କହିଛି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ବିଧାନସଭା ନିର୍ବାଚନ ପୂର୍ବରୁ ୨୦୨୨ ଜାନୁଆରୀ ୪ରେ ଇମ୍ଫାଲ ଗସ୍ତ କରିଥିଲେ । ସେତେବେଳେ ସେ ସେଠାରେ ଭିତ୍ତିଭୂମି, ସ୍ବାସ୍ଥ୍ୟସେବା ଓ ଗମନାଗମନ ସମ୍ପର୍କିତ କେତେକ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହା ପରେ ୨୦୨୩ ମେ’ ୩ରୁ ମଣିପୁର କୁକି ଓ ମେଇତି ସମୁଦାୟର ଜାତିଆଣ ହିଂସା ଲାଗି ରହିଛି । ଇତିମଧ୍ୟରେ ଏହି ସଂଘର୍ଷରେ ୨୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ୬୦,୦୦୦ରୁ ଅଧିକ ବିସ୍ଥାପିତ ହୋଇଛନ୍ତି । ଜାତିଆଣ ହିଂସାର ନିଆଁରେ ଅନେକ ହଜାର ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବାବେଳେ ବହୁ ଉପାସନାସ୍ଥଳ ମାଟିରେ ମିଶିଯାଇଛି । ଅନେକ ସମସ୍ୟା ଅମୀମାଂସିତ ହୋଇ ରହିଥିବାବେଳେ ହିଂସା ଆରମ୍ଭ ହେବାର ୨୮ ମାସ ପରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ପ୍ରଥମ ଥର ପାଇଁ ମଣିପୁର ଗସ୍ତ କରିବେ ।