ନୂଆ ଶୈଳୀରେ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ର ପ୍ରଚାର
ଭୁବନେଶ୍ୱର (ଆମ ଟିଭି): ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୁସି ଖବର। ଅଭିନେତା ବାବୁଶାନ୍ ତାଙ୍କ ପ୍ରଶଂସକଙ୍କୁ ଭେଟିଦେବାକୁ ଯାଉଛନ୍ତି ଚଳଚ୍ଚିତ୍ର ‘ଦମନ’। କରୋନା କାରଣରୁ ଦୁଇବର୍ଷ ହେଲା ବଡ ବଜେଟ୍ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସି ନ ଥିଲା। ପରିସ୍ଥିତି ସୁଧୁରିବା ପରେ ଓଡ଼ିଆ ସିନେମା ଶିଳ୍ପ ଚଳଚଞ୍ଚଳ ହୋଇଉଠିଛି। ଏବେ ମୁକ୍ତିଲାଭ ପାଇଁ ସଜବାଜ ହେଇସାରିଛି ଚଳଚ୍ଚିତ୍ର ‘ଦମନ’। ତେବେ ନୂଆ ଶୈଳୀ ରେ ଚଳଚ୍ଚିତ୍ର “ଦମନ” ର ପ୍ରଚାର ଆଜିଠାରୁ ଆରମ୍ଭ ହୋଇଛି କ୍ଷ ରାଜମହଲ ଛକ, କଳ୍ପନା ଛକ, ନୟାପଲ୍ଲୀ, ମାଷ୍ଟର କ୍ୟାଣ୍ଟିନ ଛକ, ଶହୀଦ ନଗର ଭଳି ପ୍ରମୁଖ ସ୍ଥାନ ମାନଙ୍କରୁ ‘ଦମନ’ ର ପ୍ରଚାର ଆରମ୍ଭ ହୋଇଛି । ଫିଲ୍ମରେ ବାବୁଶାନ୍ଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛିଚଳଚ୍ଚିତ୍ର ଦମନରେ । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ।

ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ଦେଖିବାକୁ ମିଳିବ ଚଳଚ୍ଚିତ୍ର ରେ । ବଡ଼ ବଜେଟ୍ର ଏହି ଫିଲ୍ମରେ ବାବୁଶାନ୍ଙ୍କ ଅଲଗା ଅବତାର ଦେଖିବାକୁ ମିଳିବ। ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ୟ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ। ଜେପି ୱାର୍ଲଡ୍ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍ ମେମ୍ବର। ବାସ୍ତବ କାହାଣୀ ଓ ପରିଚିତ ଷ୍ଟାରଙ୍କୁ ନେଇ ନିର୍ମିତ ‘ଦମନ’ ଆଗାମୀ ନଭେମ୍ବର ପ୍ରଥମ ସପ୍ତାହରେ ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ଫିଲ୍ମର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ। ଶ୍ରୀ ଜେଠୀ କହିଛନ୍ତି ଏ ଚିତ୍ରଟି ଟିଭିରେ ନୁହେଁ, ଦୀର୍ଘଦିନ ଧରି କେବଳ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ। ଆମ ଦୈନନ୍ଦିନ ଜୀବନ ରେ ଘଟୁଥିବା କାହାଣୀ କୁ ନେଇ ନିର୍ମାଣ ହୋଇଥିବା ‘ଦମନ’ ଚଳଚ୍ଚିତ୍ର ଖୁବ ସଫଳତା ଆଣିବା ସହିତ ଏଇ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଦର୍ଶକ ଆଗକୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଆଗ୍ରହୀ ହେବେ ବୋଲି ସମ୍ପୂର୍ଣ୍ଣ ଭରସା ଦେଇଛନ୍ତି ।