ଓଡ଼ିଆ କଣ୍ଟ୍ରାକ୍ଟରଙ୍କ ପ୍ରତି ସରକାରୀ ଉଦାସିନତାର ପ୍ରତିବାଦରେ ଆନ୍ଦୋଳନ ୨୦ ଦିନରେ

0

ଓଡିଶା କଣ୍ଟ୍ରାକ୍ଟର୍ସ୍ ଆସୋସିଏସନ୍‌ର ଦୀର୍ଘଦିନ ଧରି ଚାଲୁଥିବା ଆନ୍ଦୋଳନ ପରିପ୍ରେକ୍ଷିରେ ଗତ ୦୮.୦୩.୨୦୨୬ରିଖ ଶୁକ୍ରବାର ଦିନ ମଧ୍ୟାହ୍ନ ପ୍ରାୟ ୨.୦୦ ଘଟିକା ସମୟରେ ପୂର୍ତ୍ତ ବିଭାଗର ମାନ୍ୟବର ମନ୍ତ୍ରୀ ମହୋଦୟଙ୍କ ଆହ୍ୱାନରେ ସଂଘର କର୍ମକର୍ତ୍ତାମାନେ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ଠିକାଦାର ପ୍ରତିନିଧିମାନେ ଆଇନ ବିଭାଗର ସମ୍ମିଳନୀ କକ୍ଷରେ ଉପସ୍ଥିତ ହୋଇଥିଲେ। ଉକ୍ତ ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଭାଗର ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ସଂଘ ପକ୍ଷରୁ ଉଠାଯାଇଥିବା ୮ ଦଫା ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ଆଲୋଚନା ସମୟରେ ମାନ୍ୟବର ମନ୍ତ୍ରୀ ମହୋଦୟ ସଂଘ ପକ୍ଷରୁ ଉପସ୍ଥାପିତ ସମସ୍ତ ଦାବିଗୁଡ଼ିକୁ ସମ୍ୟକ୍ ଭାବେ ଶୁଣି ସେଗୁଡ଼ିକର ଯଥୋଚିତ ସମାଧାନ ସମ୍ପର୍କରେ ସକାରାତ୍ମକ ମତ ପ୍ରକାଶ କରିଥିଲେ। ତଦନନ୍ତରେ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା ଯେ ବୈଠକରେ ଗ୍ରହୀତ ନିଷ୍ପତ୍ତିମାନଙ୍କୁ ଧିକାରିକ ଭାବେ ଲିଖିତ ଆକାରରେ ପ୍ରଦାନ କରାଯାଉ। ଏହାପରେ ମାନ୍ୟବର ମନ୍ତ୍ରୀ ମହୋଦୟ ଦୁଇ ଦିନ ମଧ୍ୟରେ ଉକ୍ତ ନିଷ୍ପତ୍ତିମାନଙ୍କ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ।

କିନ୍ତୁ ଏହି ମଧ୍ୟରେ P.H.D. Association ର କିଛି ବ୍ୟକ୍ତି ମିଛ ଓ ଭ୍ରାନ୍ତିକର ପ୍ରଚାର କରି ଠିକାଦାର ଭାଇମାନଙ୍କ ମଧ୍ୟରେ ଏହି ସୂଚନା ପ୍ରସାର କରୁଛନ୍ତି ଯେ ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି, ଯାହା ସପୂର୍ଣ୍ଣରୂପେ ଭ୍ରାନ୍ତିକର ଓ ତଥ୍ୟବିହୀନ।
ଏହି ପରିପ୍ରେକ୍ଷିରେ ସ୍ପଷ୍ଟ ଭାବେ ଅବଗତ କରାଯାଉଛି ଯେ ସଂଘ ପକ୍ଷରୁ ଆନ୍ଦୋଳନ ଏପର୍ଯ୍ୟନ୍ତ ଜାରି ରହିଛି। ସେହି ସହିତ ମାନ୍ୟବର ମନ୍ତ୍ରୀ ମହୋଦୟଙ୍କ ଦ୍ୱାରା ବୈଠକରେ ଦିଆଯାଇଥିବା ଆଶ୍ୱାସନ ଅନୁସାରେ ଆଜିହିଁ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଉଛି।

ଏହି ବିଳମ୍ବ ହେତୁ ରାଜ୍ୟର ବିଭିନ୍ନ ଅଞ୍ଚଳର କଣ୍ଟ୍ରାକ୍ଟର୍ ଭାଇମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଅଶାନ୍ତି ବୃଦ୍ଧି ପାଇବାର ପ୍ରବଣତା ଦେଖାଦେଇଛି। ସଂଘ ପାଖକୁ ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ଫୋନ୍ ମାଧ୍ୟମରେ ପ୍ରଶ୍ନ ଆସୁଛି ଯେ, ଯଦି ଶୀଘ୍ର ଲିଖିତ ଆଶ୍ୱାସନ ପ୍ରଦାନ କରାଯାଇନଥାଏ, ତେବେ ସେମାନେ ପୁନର୍ବାର ବିକ୍ଷୋଭ ପ୍ରଦର୍ଶନ କରି ଆନ୍ଦୋଳନକୁ ଅଧିକ ତୀବ୍ର କରିବାକୁ ବାଧ୍ୟ ହେବେ। ଏହେତୁ ସଂଘ ପକ୍ଷରୁ ସରକାରଙ୍କୁ ବିନମ୍ର ଅନୁରୋଧ ଯେ, ବୈଠକରେ ଗ୍ରହୀତ ନିଷ୍ପତ୍ତିମାନଙ୍କ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ଶୀଘ୍ର ପ୍ରଦାନ କରାଯାଉ, ଯାହାଦ୍ୱାରା ଆଗାମୀ ଦିନରେ ଅନାବଶ୍ୟକ ଅସନ୍ତୋଷ, ଅଶାନ୍ତି ଓ ବିକ୍ଷୋଭ ପରିସ୍ଥିତି ଉତ୍ପନ୍ନ ହେବାକୁ ଏଡ଼ାଇହେବ।

Leave A Reply

Your email address will not be published.