ମାସ୍କ ବାଧ୍ୟତାମୂଳକ କଲେ ପୁଡୁଚେରୀ ସରକାର

0

ନୂଆଦିଲ୍ଲୀ :ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ପୁଣିଥରେ ଗୋଟିଏ ପରେ ଗୋଟିଏ ରାଜ୍ୟ ମାସ୍କ ପରିଧାନ ବାଧ୍ୟତାମୂଳକ କରିବା ଆରମ୍ଭ କରିଛନ୍ତି। ପୂର୍ବରୁ ପୁଡୁଚେରୀ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ ଏବେ ସମାନ ପଦକ୍ଷେପ ନେଇଛନ୍ତି ହରିଆଣା ସରକାର। ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ହରିଆଣା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି।

ଏଥିରେ କୁହାଯାଇଛି ଯେ କରୋନା ସ୍ଥିତିର ସମୀକ୍ଷା ପାଇଁ ଏପ୍ରିଲ ୩ ତାରିଖରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସୀମକ୍ଷାରୁ ଜଣାପଡ଼ିଛି ଯେ ବିଗତ କିଛି ସପ୍ତାହ ହେଲାଣି ହରିଆଣାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଟେଷ୍ଟ ପଜିଟିଭିଟି ରେଟ ମଧ୍ୟ ଅଧିକ ରହିଛି।

ତେଣୁ ଆଉ ଏକ ସମ୍ଭାବ୍ୟ କରୋନା ଲହରକୁ ରୋକିବା ପାଇଁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ ଏଣିକି ସମସ୍ତଙ୍କୁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପଡ଼ିବ। ବିଶେଷ କରି ୧୦୦ରୁ ଅଧିକ ଲୋକ ଏକାଠି ହେଉଥିବା ସ୍ଥାନ, ସରକାରୀ ଅଫିସ ଓ ଶପିଂ ମଲରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ବୁଲେଟିନରେ କୁହାଯାଇଛି।

ଏହାବାଦ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତଗୁଡ଼ିକୁ ମଧ୍ୟ ସମସ୍ତ ପ୍ରକାରର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ଲୋକମାନେ ଯେମିତି ମାସ୍କ ପିନ୍ଧିବେ, ସେକଥାକୁ ଜିଲ୍ଲା ପ୍ରଶାସନ ନିଶ୍ଚିତ କରିବ। ସର୍ବସାଧାରଣ ସ୍ଥାନରେ ଲୋକମାନଙ୍କୁ କୋଭିଡର ଉଚିତ ବ୍ୟବହାର ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ମାସ୍କ ସହ ସାମଜିକ ଦୂରତା ଓ ସାନିଟାଇଜର ଲୋକମାନେ ପୁଣି ପୂର୍ବଭଳି ବ୍ୟବହାର କରନ୍ତୁ ବୋଲି ସରକାର କହିଛନ୍ତି।

Leave A Reply

Your email address will not be published.