ପୂଜା ରିଲିଜ୍ ଷଷ୍ଠରୁ ନଷ୍ଟ
ଲକ୍ଡାଉନ୍ ପୂର୍ବରୁ ଦର୍ଶକଙ୍କୁ ‘ପରଦେଶୀ ଚଢ଼େଇ’ ଚଳଚ୍ଚିତ୍ର ଭେଟି ଦେଇଥିବା ଅଭିନେତା ଅର୍ଦ୍ଧେନ୍ଦୁ ପୁଣି ଏଥର ପୂଜା ବଜାରକୁ ପରଦାକୁ ଆସୁଛନ୍ତି। ‘ପରଦେଶୀ ଚଢ଼େଇ’ରେ ତୋଫା ଚାନ୍ଦିନୀରେ ଯେବେ ଲାଗୁଥିଲା ତୋ ଦେହେ ଗେରୁଆ ରଙ୍ଗ, ଥିଲି ଯେବେ ଏକା ହେଲୁ କାହିଁ ଦେଖା ଦିଲ୍ ତଡ଼ପ ତଡ଼ପ ହୁଏ ତୋ ପାଇଁ, ସବ୍ନମି ଓଠକୁ ତୋ ଦୁଷ୍ଟ ନଜର, ଆଉ ସେ ବାଟରେ ପାଦ କାଇଁ ରଖି…ମନ ତୁ ଫେରିଆ ଆଦି ଗୀତକୁ ନେଇ ସେତେବେଳେ ସେ ଦର୍ଶକଙ୍କ ଦିଲ୍ ହଲ୍ଚଲ୍ କରିଥିଲେ। ଏହା ପୂର୍ବରୁ ସପୁର୍ହିରୋ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ସେ ‘ବ୍ଲାକ୍ମେଲ୍’ ସିନେମାରେ ନାୟକ ଭାବେ ଅବତୀର୍ଣ୍ଣ ହେଇଥିଲେ।

ଏଥିରେ ଥିବା ଗୀତ-ହାଏ ତୋ ପ୍ରେମର ରଙ୍ଗୋଲି ରାତିରେ କଲା ଦିୱାଲି, ଭାବିବା ଆଗରୁ ମୁଁ ପାଖରେ ଥିବି, ଖୋଜିବା ଆଗରୁ ମୁଁ ପହଞ୍ଚିଯିବି, ମାମୁନି ଲୋ ମାମୁନି… ବଉ ମାରିବ ଆଦି ଗୀତଦୃଶ୍ୟ ବଜାର ସରଗରମ କରିଥିଲା। ଚଳଚ୍ଚିତ୍ର ‘ଅ ଆ ଇ’ରେ ନାୟକ ଭୂମିକାରେ ସେ ବଡ଼ପରଦାରେ ପ୍ରଥେମ ପ୍ରବେଶ କରିଥିଲେ। ଏଥିରେ ଥିବା ହଲ୍ଚଲ୍ ମିଠା ହଲ୍ଚଲ୍ ଛାତି ତଳେ କାହିଁକି, କାଲି ଯାଏ ମନ ଥିଲା ମରୁଭୂଇଁ…ଅ ଆ ଇ, ପାଦ ମୋ ଝୁଣ୍ଟୁଛି ଝୁଣ୍ଟିଆ ଖୋଜୁଛି, ହେ ବୋତଲ ଖୋଲିଗଲା ହାଏରେ ଆଦି ଗୀତ ମଧ୍ୟ ଜମିଯାଇଥିଲା। ‘ଅ ଆ ଇ’ରେ ଶ୍ରୀଜଲ୍ ଓ ବବ୍ଲୀଙ୍କ ପରେ ସେ ‘ବ୍ଲାକ୍ମେଲ୍’ରେ ତମନ୍ନା ଓ ଆହାନାଙ୍କ ନାୟକ ସାଜିଥିଲେ। ଏହା ବ୍ୟତୀତ ସେ ‘ଟପୋରୀ’ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ‘ପରଦେଶୀ ଚଢ଼େଇ’ରେ ଅନୁଭାଙ୍କ ସହ ତାଙ୍କ ଯୋଡ଼ି ଜମିଥିଲା। ଏବେ ପୁଣି ପୂଜା ବଜାରକୁ ଅର୍ଦ୍ଧେନ୍ଦୁ-ତମନ୍ନା ସୁପର୍ହିଟ୍ ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ଏଥର ତାଙ୍କ ନୂଆ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଷଷ୍ଠରୁ ନଷ୍ଟ’। ଏହା ଏକ କମେଡି ଓ ଫ୍ୟାମିଲି ଡ୍ରାମା। ସାର୍ଥକ ଟିଭି ନିବେଦିତ ଏବଂ କେ. ମୂରଲିକ୍ରିଷ୍ଣା ନିର୍ଦ୍ଦେଶିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ସୂର୍ଯ୍ୟ ରଥ। ସଂଳାପ ରଚନା କରିଛନ୍ତି ଦୀପକ କୁମାର ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍ଲି ରଥ। ଆଗାମୀ ଦଶହରା ଅବସରରେ ଚଳଚ୍ଚିତ୍ର ‘ଷଷ୍ଠରୁ ନଷ୍ଟ’ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ‘ରଜ କୁଇନ୍’ ରିୟାଲିଟି ସୋ’ର ବିଚାରକ ଆସନରେ ବସିଥିବା ଅର୍ଦ୍ଧେନ୍ଦୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କ୍ରମରେ ‘ମୁଁ ପରଦେଶୀ ଚଢ଼େଇ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହେଇଥିଲେ।