ନୂଆଦିଲ୍ଲୀ(ଆମ ଟିଭି): କଂଗ୍ରେସର ଅଧ୍ୟକ୍ଷ କିଏ ହେବ, ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ତେଣୁ ସାରା ଦେଶରେ କଂଗ୍ରେସ ଏବେ ନିଜର ସ୍ଥିତି ଜାହିର କରିବାକୁ କଂଗ୍ରେସ ଚେଷ୍ଟା ଚଳାଇଛି । ହେଲେ କିଛିଦିନ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କାର୍ୟ୍ୟକାଳ ଶେଷ ହେଉଥିବାରୁ ତାଙ୍କ ପରେ କିଏ ଦଳର ମଙ୍ଗ ସମ୍ଭାଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କହିରଖୁ କି ୨୦୧୯ ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ ରାହୁଲ ଗାନ୍ଧୀ ନିଜର କତ୍ତର୍ବ୍ୟ ଦୃଷ୍ଟିରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଏବେ ସୋନିଆ ଗାନ୍ଧୀଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଚାହୁଁଛନ୍ତି କି ୨୦୨୪ ସାଧରଣ ନିର୍ବାଚନ ପୂର୍ବରୁ ଦଳର ମଙ୍ଗ ରାହୁଲ ଗାନ୍ଧୀ ସମ୍ଭାଳନ୍ତୁ । ନେତୃତ୍ୱମାନେ ରାହୁଲ ଗାନ୍ଧୀଙ୍କ ହଁ କୁ ଅପେକ୍ଷା କରିଥିବା ବେଳେ ରାହୁଲ ଗାନ୍ଧୀ କିନ୍ତୁ ଏବେ ବି ମନା କରୁଛନ୍ତି ।
ନିଜର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସୋନିଆ ଗାନ୍ଧୀ ପୁଣିଥରେ ଦଳର ଅଧ୍ୟକ୍ଷ ହେବାକୁ ମନା କରିଛନ୍ତି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦଳର ମଙ୍ଗ ଧରିବାକୁ ରାଜି ହେଉନଥିବାରୁ ଏବେ ଦଳର ସମସ୍ତ ନେତାଙ୍କ ନଜର ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ରହିଛି । କାରଣ ୧୩୬ ବର୍ଷର ପୁରୁଣା ସଂଗଠନର ଅଧିକାଂଶ ସଦସ୍ୟ ଚାହୁଁଛନ୍ତି କି ଦଳର ନେତା ଗାନ୍ଧୀ ପରିବାର ଭିତରୁ କେହି ହୁଅନ୍ତୁ ।