ଲିଙ୍ଗାୟତ ଦୀକ୍ଷା ନେଲେ ରାହୁଲ ଗାନ୍ଧି, ଜାଣନ୍ତୁ କାହିଁକି…

0

ବେଙ୍ଗାଲୁରୁ (ଆମ ଟିଭି): କର୍ଣ୍ଣାଟକର ପ୍ରସିଦ୍ଧ ଶୈବ ସଂପ୍ରଦାୟର ଲିଙ୍ଗାୟତ ଦୀକ୍ଷା ଗ୍ରହଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ରାହୁଲ ଏହି ସଂପ୍ରଦାୟର ବିଭିନ୍ନ ମଠ ବୁଲିବା ପରେ ମୁରୁଗା ମଠର ମହନ୍ତ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କଠାରୁ ଇଷ୍ଟଲିଙ୍ଗ ଦୀକ୍ଷା ଗ୍ରହଣ କରିଛନ୍ତି । ଏହି ଅବସରରେ କର୍ଣ୍ଣାଟକ କଂଗ୍ରେସର ବିଭିନ୍ନ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।ଏ ସଂପର୍କରେ ଟୁଇଟ କରି ରାହୁଲ ଗାନ୍ଧି ଲେଖିଛନ୍ତି ଯେ, ଶ୍ରୀଜଗତଗୁରୁ ମୁରୁଗାରାଜେନ୍ଦ୍ର ବିଦ୍ୟାପୀଠ ପରିଦର୍ଶନ କରି ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କଠାରୁ ଇଷ୍ଟଲିଙ୍ଗ ଦୀକ୍ଷା ଗ୍ରହଣ କରିବା ଏକ ସମ୍ମାନର ବିଷୟ । ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଥିବାରୁ ଲିଙ୍ଗାୟତ ସଂପ୍ରଦାୟଙ୍କୁ ଆକୃଷ୍ଟ କରିବାକୁ ରାହୁଲ ଏହି ଦୀକ୍ଷା ନେଇଥିବା କୁହାଯାଉଛି ।

ଲିଙ୍ଗାୟତ ସଂପ୍ରଦାୟ କର୍ଣ୍ଣାଟକରେ ଏକ ପ୍ରଭାବଶା​ଳୀ ସଂପ୍ରଦାୟ ଭାବେ ଜଣାଶୁଣା । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ୟୁଦ୍ୟୁରାପ୍ପା ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏହି ସଂପ୍ରଦାୟରୁ ଆସିଛନ୍ତି । ୧୨ଶ ଶତାବ୍ଦୀରେ କର୍ଣ୍ଣାଟକର ପ୍ରସିଦ୍ଧ ସନ୍ଥ ତଥା ସମାଜ ସଂସ୍କାରକ ବାସବେଶ୍ବର ଏହି ଲିଙ୍ଗାୟତ ସଂପ୍ରଦାୟର ପ୍ରତିଷ୍ଠା କରିଥିଲେ । ଏହି ସଂପ୍ରଦାୟର ଲୋକମାନେ ଭଗବାନ ଶିବଙ୍କ ଆରାଧନା କରନ୍ତି । କେବଳ କର୍ଣ୍ଣାଟକ ନୁହେଁ, ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ର,ତାମିଲନାଡୁ,ଆନ୍ଧ୍ରପ୍ରଦେଶ ଓ କେରଳରେ ଏହି ସଂପ୍ରଦାୟର ଲକ୍ଷ ଲକ୍ଷ ଅନୁଗାମୀ ଅଛନ୍ତି ।

Leave A Reply

Your email address will not be published.