ନୂଆଦିଲ୍ଲୀ (ଆମ ଟିଭି): ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଏବେ ଆରମ୍ଭ ହୋଇଛି ତର୍କ । ଆମେରିକାରେ ରାହୁଲ ଗାନ୍ଧୀଙ୍କ ବୟାନ ପରେ ଦେଶର ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କିଛି କଥା ରାଜନୀତିରୁ ବଡ ହୋଇଥାଏ, ବିଶେଷ ଭାବେ ଯେତେବେଳେ ଦେଶ ବାହାରେ ପାଦ ରଖନ୍ତି । ସାମୁହିକ ଦାୟିତ୍ୱର କଥା କହି ଜୟଶଙ୍କର କହିଛନ୍ତି ଯେ ବିଦେଶ ଯାଇ ସେଠାରେ ରାଜନୀତିର କଥା କହନ୍ତି ନାହିଁ । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ରାହୁଲ ଗାନ୍ଧୀ ନିଜର ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ଜନତା ପାର୍ଟିକୁ ଲଗାତାର ଟାର୍ଗେଟ କରୁଛନ୍ତି । ସେ ମୁସଲିମ ଲିଗକୁ ମଧ୍ୟ ସେକୁଲାର ବୋଲି କହୁଛନ୍ତି, ଯାହାକୁ ଜବାହରଲାଲ ନେହରୁ କଟ୍ଟରପନ୍ଥୀ କହି ସାରିଛନ୍ତି ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବ୍ରିକ୍ସ ଦେଶର ବୈଦେଶିକ ମନ୍ତ୍ରୀ ମାନଙ୍କର ବୈଠକରେ ସାମିଲ ହେବାକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି । ସେଠାରେ ଭାରତୀୟ ଲୋକ ମାନଙ୍କ ସହ କଥାବାର୍ତା ବେଳେ ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ଜଣେ ବ୍ୟକ୍ତି ତାଙ୍କର ବକ୍ତବ୍ୟ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଶ୍ରୀ ଜୟଶଙ୍କର କହିଥିଲେ, ଯେ ମୁଁ ଚେଷ୍ଟା କରେ ଯେ ଯେତେବେଳେ ବିଦେଶ ଗସ୍ତରେ ଯିବି ସେତେବେଳେ ରାଜନୀତି କରିବି ନାହିଁ। ଯଦି ମୋତେ ବିତର୍କ କରିବାର ଅଛି ତେବେ ନିଜ ଦେଶରେ କରିବି । ଶ୍ରୀ ଜୟଶଙ୍କର କହିଥିଲେ ଯେ ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କର ସାମୁହିକ ଦାୟିତ୍ୱ ରହିଥାଏ । ଜାତୀୟ ସ୍ୱାର୍ଥ ଓ ସାମୁହିକ ଭାବମୂର୍ତି ରହିଥାଏ । କିଛି ଜିନିଷ ରାଜନୀତିରେ ଉର୍ଧରେ ରହିଥାଏ । ଯେତେବେଳେ ଆପଣ ଦେଶ ବାହାରେ ପାଦ ରଖୁଛନ୍ତି, ସେତେବେଳେ ଆପଣଙ୍କୁ ଏହି ସବୁ କଥା ଉପରେ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି ।