ନୂଆଦିଲ୍ଲୀ (ଆମ ଟିଭି): ରାହୁଲଙ୍କୁ ନେଇ ଏବେ ସାରା ଦେଶରେ ବିବାଦ ଜାରି ରହିଛି । ଏହାରି ଭିତରେ କଂଗ୍ରେସ ନେତା ଏକ ବଡ଼ ବୟାନ ଦେଇଛନ୍ତି । ରାହୁଲ୍ ଗାନ୍ଧୀ ଆଧୁନିକ ଭାରତର ମହାତ୍ମା ଗାନ୍ଧୀ ବୋଲି ଛତିଶଗଡ଼ର କଂଗ୍ରେସ ନେତା ତଥା ବିଧାୟକ ଅମିତେଶ ଶୁକ୍ଳା ପ୍ରଶଂସା କରି କହିଛନ୍ତି।୨୦୧୮ ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ଶୁକ୍ଳା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ କହିଛନ୍ତି, ରାହୁଲ୍ ଗାନ୍ଧୀ ହେଉଛନ୍ତି ଆଧୁନିକ ଭାରତର ମହାତ୍ମା ଗାନ୍ଧୀ। ମହାତ୍ମା ଗାନ୍ଧୀଙ୍କର ତାଙ୍କ ସହିତ ଅନେକ ସାମଞ୍ଜସ୍ୟ ରହିଛି। ରାହୁଲ୍ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ର ନେତୃତ୍ବ ନେଇଥିବା ବେଳେ ମହାତ୍ମା ଗାନ୍ଧୀ ଦାଣ୍ଡିଯାତ୍ରାର ନେତୃତ୍ବ ନେଇଥିଲେ।
ରାହୁଲ୍ ଗାନ୍ଧୀଙ୍କୁ ଶୁକ୍ଳା ‘ରାଷ୍ଟ୍ରୀୟ ପୁତ୍ର’ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବୁଝିବିଚାରି ଏଭଳି ମନ୍ତବ୍ୟ ଦେଉଛି। ମୁଁ ସ୍ବାଧୀନତା ସଂଗ୍ରାମୀ ପରିବାରର ପିଲା। ମୋ ବାପା (ଅବିଭକ୍ତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ୟାମଚରଣ ଶୁକ୍ଳା) ଏବଂ ଦାଦାଙ୍କ (ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଚରଣ ଶୁକ୍ଳ) ଠାରୁ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଯାହା ଶୁଣିଛି, ମୋର ମନେହୁଏ ମହାତ୍ମା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ କେତେଗୁଡ଼ିଏ ସାମଞ୍ଜସ୍ୟ ଅଛି।