ଭାରତୀୟ ଗଣତନ୍ତ୍ରକୁ ନେଇ ଏମିତି କହିଲେ ରାହୁଲ
ନୂଆଦିଲ୍ଲୀ: ଆଜି ଇଂଲଣ୍ଡ୍ର କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ବେଳେ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଆକ୍ରମଣ ଚାଲିଛି ଏବଂ ତାଙ୍କ କଥାବାର୍ତ୍ତାକୁ ରେକର୍ଡିଙ୍ଗ୍ କରିବା ଲାଗି ଇଜ୍ରାଏଲୀୟ ‘ସ୍ପାଇୱେର୍’ ‘ପେଗାସସ୍’ ବ୍ୟବହାର କରାଯାଇଛି।
ରାହୁଲ୍ କହିଛନ୍ତି ଯେ, ତାଙ୍କ କଲ୍ ରେକର୍ଡ କରାଯାଉଥିବାରୁ ଫୋନ୍ରେ କଥାବାର୍ତ୍ତା କରିବା ବେଳେ ସାବଧାନତା ଅବଲମ୍ବନ କରିବା ଲାଗି ଗୁଇନ୍ଦା ଅଧିକାରୀମାନେ ତାଙ୍କୁ ସତର୍କ କରାଇ ଦେଇଥିଲେ।
‘ଲର୍ଣ୍ଣିଙ୍ଗ୍ ଟୁ ଲିସିନ୍ ଇନ୍ ଦି ଟ୍ବେଣ୍ଟିଫାଷ୍ଟ୍ ସେଞ୍ଚୁରି’ ବିଷୟରେ ‘କେମ୍ବ୍ରିଜ୍ ଜଜ୍ ବିଜ୍ନେସ୍ ସ୍କୁଲ୍’ର ‘ଏମ୍ବିଏ’ ଶିକ୍ଷାର୍ଥୀମାନଙ୍କୁ ରାହୁଲ୍ ଦେଇଥିବା ଅଭିଭାଷଣର ‘ୟୁଟ୍ୟୁବ୍ ଲିଙ୍କ୍’ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପୂର୍ବତନ ଉପଦେଷ୍ଟା ସାମ୍ ପିଟ୍ରୋଡା ସେୟାର୍ କରିଛନ୍ତି।