ବର୍ଷିଲେ ରାହୁଲ
ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର। ବିଜେପି ଓ ବିଜେଡି ଭାଗିଦାରୀରେ ଚାଲିଛି ଏହି ସରକାର। ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ ବେରୋଜଗାରୀ ବଢ଼ିଛି। ଦେଶରେ ସବୁଠାରୁ ଅଧିକ ବେରୋଜଗାର ଲୋକ ଓଡ଼ିଶାରେ ହିଁ ଅଛନ୍ତି। ଏଠାରେ ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗ ସୁରକ୍ଷିତ ନୁହନ୍ତି। ସେମାନଙ୍କୁ ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି। ’ ଓଡ଼ିଶା ଗସ୍ତ ଅବସରରେ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।
ରାହୁଲ ଗାନ୍ଧି ଗତକାଲି ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାର ବୀରମିତ୍ରପୁରରେ ପ୍ରବେଶ କରିଥିଲେ। ମାତ୍ର ଗତକାଲି ସେ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି କହି ନ ଥିଲେ। ଏହାପରେ ଆଜି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ରାହୁଲ ଗାନ୍ଧି ବାହାରି ସିଧାସଳଖ ଉଦିତନଗର ଛକକୁ ଯାଇଥିଲେ। ସେଠାରେ ସେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବା ସହିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧନ କରିଥିଲେ।