ଖସିବ ପାରଦ, ବଢିବ ଶୀତ: ସୋମବାରଠାରୁ ରାଜ୍ୟରେ ବଢ଼ିବ ଶୀତ
ଭୁବନେଶ୍ୱର (ଆମ ଟିଭି): ଖସିବ ପାରଦ, ବଢିବ ଶୀତ । ସୋମବାରଠାରୁ ରାଜ୍ୟରେ ଶୀତ ବଢ଼ିବ ବୋଲି ସୂଚନା ମିଳିଛି। ବିଭିନ୍ନ ସ୍ଥାନର ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରି ପର୍ୟ୍ୟନ୍ତ ଖସିଯିବ। ଗତ ରାତିରେ ୪ସହରର ତାପମାତ୍ରା ୧୩ ଡିଗ୍ରି ପାଖାପାଖି ରହିଥିଲା। ୧୩.୧ ଡିଗ୍ରି ସହ କୋରାପୁଟ ସେମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଥିଲା। ଏହାବ୍ୟତୀତ ବୌଦ୍ଧରେ ୧୩.୫ ଡିଗ୍ରି, କନ୍ଧମାଳର ଜି. ଉଦୟଗିରିରେ ୧୩.୮ ଡିଗ୍ରି ଓ ଫୁଲବାଣୀରେ ୧୫.୫ ଡିଗ୍ରି ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଅପରପକ୍ଷେ, ରାଜ୍ୟର କିଛି ସ୍ଥାନରେ ଗୁରୁବାର ଦିନ କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଫୁଲବାଣୀରେ ଘନ କୁହୁଡ଼ି ପଡ଼ିଥିବା ବେଳେ ସେଠାରେ ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଥିଲା। ସେହିଭଳି ବଲାଙ୍ଗୀରରେ ୩୦୦ ମିଟର ଦୃଶ୍ୟମାନ ଦୂରତା ଥିଲା। ଭବାନୀପାଟଣା ଓ ପାରଳାଖେମୁଣ୍ଡିରେ ହାଲୁକା କୁହୁଡ଼ି ପଡ଼ିଥିଲା।