ନୂଆଦିଲ୍ଲୀ (ଆମ ଟିଭି): ଗତ କିଛି ଦିନ ହେବ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ବର୍ତ୍ତମାନ ପୁଣି ସେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି କି, ରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି । ସେ କହିଛନ୍ତି କି, ଯଦି ଭାଗ୍ୟରେ ଥାଏ ତେବେ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ହେବେ ।
ସେପଟେ ପୁଲୱାମା ଆକ୍ରମଣ ଘଟଣାକୁ ନେଇ ସତ୍ୟପାଲ ମଲ୍ଲିକ କହିଛନ୍ତି କି, ଏହି ପ୍ରସଙ୍ଗ ସେ ଘଟଣା ଘଟିବା ଦିନ ଉଠାଇଥିଲେ ଓ ଆଜି ବି ସମାନ ବୟାନ ଦେଉଛନ୍ତି । ଗୃହମନ୍ତ୍ରୀ ଅମିତ୍ ଶାହା କହିଥିଲେ କି ଯଦି ସତ୍ୟପାଲ ମଲ୍ଲିକ ଠିକ୍ କଥା କହୁଛନ୍ତି ତାହା ସେ ରାଜ୍ୟପାଳ ଥିବା ବେଳେ କାହିଁକି କହିନଥିଲେ । ତାହାର ଉତ୍ତରରେ ସତ୍ୟପାଲ ମଲ୍ଲିକ ଏଭଳି କହିଛନ୍ତି । ରାଜସ୍ଥାନ ସିକର ଠାରେ ପହଂଚି ସତ୍ୟପାଲ ମଲ୍ଲିକ ଆଗାମୀ ରାଜସ୍ଥାନ ନିର୍ବାଚନ ନେଇ ବିରୋଧୀଙ୍କୁ ବିଜୟମନ୍ତ୍ର ଦେଇଛନ୍ତି ।