ଓଡ଼ିଆ ଫିଲ୍ମ ଚ୍ୟାଲେଞ୍ଜରେ ରାକ୍ଷୀ ଗୀତ
ଭୁବନେଶ୍ୱର (ଆମ ଟିଭି): ଓଡ଼ିଆ ସିନେମା ଇତିହାସରେ ଭାଇ ଭଉଣୀଙ୍କ ଅନାବିଳ ସ୍ନେହ ମମତାକୁ ନେଇ ପ୍ରସ୍ତୁତ ଫିଲ୍ମ ଓ ଗୀତ ଉଭୟ ସୁପରହିଟ ହୋଇଥିବା ଅନେକ ଦୃଷ୍ଟାନ୍ତ ରହିଛି l ଦର୍ଶକ ଏଥି ପ୍ରତି ଆକର୍ଷିତ ମଧ୍ୟ ହେଉଛନ୍ତି । ଚ୍ୟାଲେଞ୍ଜ, ଏକ ବଡ଼ ବଜେଟ୍ ର ନିର୍ମାଣଧୀନ ଓଡ଼ିଆ ଚଳଚ୍ଚିତ୍ରରେ ସ୍ଥାନିତ ହୋଇଛି ଭାଇ ଭଉଣୀଙ୍କ ଅନାବିଳ ସ୍ନେହ ସମ୍ପର୍କକୁ ନେଇ ରାକ୍ଷୀ ଗୀତ l ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଏବଂ ନାୟିକା ଲିପି ମହାପାତ୍ର ପ୍ରଥମଥର ପାଇଁ ଚାଲେଞ୍ଜ ଚଳଚ୍ଚିତ୍ରରେ ଜରିଆରେ ଭାଇ ଭଉଣୀ ଭୂମିକାରେ ନଜର ଆସୁଛନ୍ତି l ଯାହାର ପୋଷ୍ଟର ରାକ୍ଷୀ ପୂର୍ଣ୍ଣିମା ଦିନ ସୋସିଆଲ ମିଡିଆରେ ମୁକ୍ତିଲାଭ କରିଥିଲା l ଆଗାମୀ ଦିନରେ ଚ୍ୟାଲେଞ୍ଜର ରାକ୍ଷୀ ଗୀତ ଶ୍ରୋତାଙ୍କୁ ନିଶ୍ଚିତ ଭାବେ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ l
ପୂର୍ବରୁ ସୁପରହିଟ୍ ଓଡ଼ିଆ ଫିଲ୍ମ ‘ଚକାଆଖି ସବୁ ଦେଖୁଛି’ରେ ରାକ୍ଷୀର ଏକ ସୁନ୍ଦର ଉପସ୍ଥାପନା ଥିଲା। ଏହି ଫିଲ୍ମର ରାକ୍ଷୀ ଦୃଶ୍ଯରେ ତତ୍କାଳୀନ ନାୟକ ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତି ଓ ଗୋପା ବିଶ୍ଵାସ ସୁନ୍ଦର ଅଭିନୟ କରିଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ଦେଖାଗଲା ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଯାଇ ଭଉଣୀ ଦେଖିଲା ଭାଇର ହାତଟି ନାହିଁ । ଏ ଦୃଶ୍ୟ ମଧ୍ୟ ଖୁବ୍ ପ୍ରଭାବ ପକାଇଥିଲା ଦର୍ଶକଙ୍କ ଉପରେ। ରାକ୍ଷୀ କନ୍ଦାଇ ଦେଲା ବୋଲି ସେତେବେଳେ ମତାମତ ଶୁଭିଥିଲା ।
ଏହା ବ୍ୟତୀତ ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’, ‘କାଳଚକ୍ର’, ‘ବିଧାତା’, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ‘ଶୁଭ ବିବାହ’ ଫିଲ୍ମରେ ରାକ୍ଷୀ ର ସୁନ୍ଦର ଦୃଶ୍ୟ ସଂଯୋଜିତ ହୋଇଥିଲା। ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ରେ ବି ଥିଲା ଭାଇ ଭଉଣୀଙ୍କର ଅନାବିଳ ସ୍ନେହ, ପ୍ରେମର ଦୃଶ୍ୟ। ଏମିତି ଭଉଣୀକୁ ରକ୍ଷା କରୁଛି ଭାଇର ରାକ୍ଷୀ ବନ୍ଧା କଟାହାତ। ‘ବିଧାତା’ରେ ଚାକିରୀ ସନ୍ଧାନୀ ଭାଇକୁ ଭଉଣୀ ମିଠା ଖୁଆଇ ଶୁଭ ମନାସୁଛି, ବାନ୍ଧିଦେଉଛି ରାକ୍ଷୀ।
ତେଣୁ ଏଥିରୁ କହିହେବ ଫିଲ୍ମ ରେ ରାକ୍ଷୀ ଦୃଶ୍ୟ ଦର୍ଶକଙ୍କୁ ପ୍ରଭାବିତ କରିଥିଲା ଏବଂ କରୁଛି ମଧ୍ୟ l ଏହାଦ୍ବାରା ଏକ ସଂସ୍କୃତିର ସୁରକ୍ଷା ମଧ୍ୟ ହୋଇପାରୁଛି । ଅନ୍ୟ ଚଳଚ୍ଚିତ୍ରର ରାକ୍ଷୀ ଗୀତ ଓ ଦୃଶାୟନ ଭଳି ଚାଲେଞ୍ଜ ଚଳଚ୍ଚିତ୍ରର ରାକ୍ଷୀ ଗୀତ ବି ଦର୍ଶକାଦୃତ ହେବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଆଶା ପ୍ରକଟ କରିଛନ୍ତି। ଚଳଚ୍ଚିତ୍ର ଚ୍ୟାଲେଞ୍ଜ ର ନିର୍ଦ୍ଦେଶନା ଦେଇଛନ୍ତି ସାଇକିରଣ ମଙ୍ଗରାଜ ଓ ଚିତ୍ରୋତ୍ତଳନ ଦାୟିତ୍ବରେ ଅଛନ୍ତି ପ୍ରତାପ ପ୍ରଧାନ । ଚଳଚ୍ଚିତ୍ର ଚ୍ୟାଲେଞ୍ଜ ଆସନ୍ତା ଦୁର୍ଗାପୂଜାରେ ମୁକ୍ତିଲାଭ କରିବ।