କାହିଁକି ଏମିତି କହିଲେ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା

0

ଇସଲାମାବାଦ: ୨୦୨୩ ଏସିଆ କପ୍‌ ସମ୍ପର୍କରେ ବିସିସିଆଇ ସମ୍ପାଦକ ଜୟ ଶାହ ଦେଇଥିବା ବୟାନକୁ ଏଯାଏ ହଜମ କରିପାରୁନି ପାକିସ୍ତାନ। ଉକ୍ତ ବୟାନକୁ ଆଧାର କରି ପାକିସ୍ତାନ କ’ଣ ଭାରତର ଚାକର ବୋଲି ପ୍ରଶ୍ନ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା। ଏଥିସହ ସେ ପିସିବିକୁ ଭାରତ ଆଗରେ ମୁଣ୍ଡ ନନୁଆଁଇବାକୁ କହିଛନ୍ତି।

ଏସିଆ କପର ହୋଷ୍ଟିଂ ଦାୟିତ୍ୱ ପାକିସ୍ତାନକୁ ମିଳିଥିବା ବେଳେ ଭାରତ ସୁରକ୍ଷା ଦୃଷ୍ଟିରୁ ସେଠାକୁ ଯିବନି ଓ ଏସିଆ କପ ନିରପେକ୍ଷ ଭେନ୍ୟୁରେ କରିବାକୁ ଜୟ ଶାହ ବୟାନ ଦେଇଥିଲେ। ଶାହଙ୍କ ଏପରି ବୟାନ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଭାରତକୁ ଧମକ ଦେବା ସହ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପକୁ ପାକିସ୍ତାନ ବୟକଟ କରିବ ବୋଲି କହିଥିଲା।

ପିସିବିର ପକ୍ଷରୁ ଏପରି ବୟାନ ତତ୍କାଳୀନ ଅଧ୍ୟକ୍ଷ ରମିଜ ରାଜା ଦେଇଥିଲେ। ନିକଟରେ ରମିଜ ରାଜାଙ୍କୁ ପିସିବି ଅଧ୍ୟକ୍ଷ ପଦରୁ ବିଦା କରାଯାଇଛି। ବହିଷ୍କୃତ ହେବା ପରେ ମଧ୍ୟ ରମିଜ ରାଜା ଭାରତକୁ ଚେତାବାନୀ ଦେବାକୁ ଭୁଲି ନାହାନ୍ତି। ଭାରତର ଦାବି ଆଗରେ ପିସିବି ନେତୃତ୍ୱ ନେବାର ଦକ୍ଷତା ଦେଖାଉ ବୋଲି ସେ ନିବେଦନ କରିଛନ୍ତି।

ସେ କହିଛନ୍ତି, “ନେତୃତ୍ୱ କ’ଣ? ଏସିଆନ କ୍ରିକେଟ କାଉନସିଲ(ଏସିସି) ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ କହିଛି। ଏହି ଅନୁମତି ପରେ ଭାରତ କହୁଛି ଯେ ସେମାନେ ପାକିସ୍ତାନ ଆସିବେନି। ଏଥିସହ ଟୁର୍ଣ୍ଣାମେଣ୍ଟକୁ ଗୋଟିଏ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରିବାକୁ ଭାରତ କହୁଛି। ଏହାର ଜବାବ କ’ଣ ହେବା ଦରକାର? କ’ଣ ଆମେ ଭାରତର ଚାକର? କ୍ରିକେଟରେ ଭାରତ ବିଶ୍ୱର ଗୋଟିଏ କ୍ଷମତାଶାଳୀ ଦେଶ। ଏହାର ଅର୍ଥ ନୁହେଁ ଯେ ଆମେ ଭାରତର ଚାକର। ସେମାନେ କ୍ଷମତାଶୀଳ ଦେଶ ହୋଇଥିବାରୁ କ’ଣ ସେମାନଙ୍କର ସକୁ କଥା ଆମେ ଶୁଣିବୁ?”

Leave A Reply

Your email address will not be published.