ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି
ନୂଆଦିଲ୍ଲୀ (ଆମ ଟିଭି): ରାଜନୈତିକ ସଙ୍କଟ ଓ ଆର୍ଥିକ ସମସ୍ୟା ଭିତରେ ଶ୍ରୀଲଙ୍କା ପାଇଲା ନୂଆ ରାଷ୍ଟ୍ରପତି ।ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି। ମଙ୍ଗଳବାର ଦେଶର ନବମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ରାନିଲ ବିକ୍ରମସିଂଘେ । ପୋଷ୍ଟାଲ ବାଲାଟରେ ହୋଇଥିବା ଭୋଟିଂରେ ରାନିଲଙ୍କ ସପକ୍ଷରେ ୧୩୪ ଜଣ ସାଂସଦ ମତଦାନ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ଦୁଲ୍ଲାସ ଅଲ୍ଲାପେରୁମା ୮୨ ଭୋଟ୍ ପାଇଥିବା ବେଳେ ଅନୁରା କୁମାରା ଦିସାନାୟକେ ମାତ୍ର ୩ ଖଣ୍ଡ ଭୋଟ୍ ପାଇଛନ୍ତି । ଏଥର ରାଷ୍ଟ୍ରପତି ଦୌଡ଼ରେ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ବ୍ୟତୀତ ଦୁଲ୍ଲାସ ଅଲ୍ଲାପେରୁମା ଓ ଅନୁରା କୁମାରା ଦିସାନାୟକେ ମଇଦାନରେ ଥିଲେ । ବହୁମତ ପାଇଁ ୨୨୫ ସାଂସଦଙ୍କ ମଧ୍ୟରୁ ୧୧୩ ଜଣଙ୍କର ସମର୍ଥନ ଆବଶ୍ୟକ ଥିଲା । ରାନିଲ ୧୩୪ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ।
ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀଲଙ୍କା ସଂସଦରେ ସମସ୍ତ ସାଂସଦ ଉପସ୍ଥିତ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ମଧ୍ୟ ଉପସ୍ଥିତ ରହିଥିଲେ । ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଏବଂ ବିଦେଶକୁ ପଳାୟନ କରିଥିବା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ଇସ୍ତଫା ପରେ ବିକ୍ରମସିଂଘେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଉଥିଲେ । ଦୂରଦୃଷ୍ଟି ସମ୍ପନ୍ନ ଓ ଆର୍ଥିକ ବ୍ୟବସ୍ଥା ସମ୍ଭାଳିବା ପାଇଁ ଦକ୍ଷତା ରଖୁଥିବା ଜଣେ ଧୁରନ୍ଧର ନେତା ଭାବେ ଜଣାଯାଆନ୍ତି ରାନିଲ ବିକ୍ରମସିଂଘେ । କେବଳ ସେତିକି ନୁହେଁ ଅର୍ନ୍ତରାଷ୍ଟ୍ରୀୟ ସହଯୋଗ ଭିତରେ ଶାସନ, ମଜବୁତ କୁଟନୀତିକୁ ନେଇ ଶାସନ କରିବା ଦିଗରେ ମଧ୍ୟ ସେ ଜଣେ ଟାଣୁଆ ନେତା । ପୂର୍ବରୁ ଶ୍ରୀଲଙ୍କାର ୬ ଥର ପ୍ରଧାନମନ୍ତ୍ରୀ ଓ ଥରେ କାମଚଳା ରାଷ୍ଟପ୍ରତି ଦାୟିତ୍ୱ ସେ ସମ୍ଭାଳି ସାରିଛନ୍ତି । ବର୍ତ୍ତମାନ ଦେଶର ରାଷ୍ଟ୍ରପତି ହେବା ପରେ ନିଶ୍ଚିତଭାବେ ତାଙ୍କ ଉପରେ ଚାପ ଅଧିକ ରହିବ । ରାନିଲ ଜଣେ ଷ୍ଟାଟେଜି ମେକର ଭାବେ ମଧ୍ୟ ଜଣାଯାଆନ୍ତି । ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସିବା ନେଇ ଏବେ ଶ୍ରୀଲଙ୍କାବାସୀଙ୍କ ନିକଟରେ ନୂଆ ଆଶା ସୃଷ୍ଟି କରିବେ ନୂଆ ରାଷ୍ଟ୍ରପତି ରାନିଲ ।