ମୁକ୍ତିଲାଭ କଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର “ୱାଇଫ”
ନୂଆ ବର୍ଷ ଆରମ୍ଭରେ ସାରା ଓଡିଶାରେ ୧୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବର୍ଷା ପ୍ରିୟଦର୍ଶିନୀ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର “ୱାଇଫ” l ୱାଇଫ୍ ର ପ୍ରିମିଅର ଶୋ’ କଟକସ୍ଥିତ ସଙ୍ଗମ ସିନେମା ହଲ୍ ରେ ହୋଇଛି l ପ୍ରିମିଅର ଶୋ’ ରେ ଅଭିନେତ୍ରୀ, କ୍ରି୍ଏଟିଭ ହେଡ଼ ବର୍ଷା ପ୍ରିୟଦର୍ଶିନୀ, , ଅଭିନେତା ଜୟଜିତ୍ ଦାସ, ଋଷି ପଟ୍ଟନାୟକ,ଅଭିନେତ୍ରୀ ପିହୁ,ଶୋଭା,କୁନୁରୀ,ରାନୀ ପଣ୍ଡା, ଐଶ୍ୱର୍ଯ୍ୟା,ପ୍ରଯୋଜକ ବିଜୟ କଣ୍ଡୋଇ, ବିତରଣ ମୁଖ୍ୟ ପରେଶ୍ ଆଭଲାନୀ ( ମୁନା),ନିର୍ଦ୍ଦେଶକ ସୁଧାକର ବସନ୍ତ, କାର୍ଯ୍ୟକାରୀ ନିର୍ଦ୍ଦେଶକ ବବି ଇସ୍ଲାମ, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀଙ୍କ ସମେତ ଚଳଚ୍ଚିତ୍ରରସମସ୍ତ କଳାକାର ଏବଂ ଟେକ୍ନିସିଆନ୍ସ, ସିନେ ସମୀକ୍ଷକ ଓ ବର୍ଷା ପ୍ରିୟଦର୍ଶିନୀ ଫାନ୍ସ ଏକା ସାଙ୍ଗରେ ବସି ଫିଲ୍ମଟିକୁ ଦେଖିଥିଲେ l
ଜଣେ ୱାଇଫ୍ ର ଅକୁହା କାହାଣୀର ମୁକସାକ୍ଷୀ କେବଳ ଘରର ଚାରିକାନ୍ଥ। ୱାଇଫର ହସଖୁସି, ତ୍ୟାଗ ବଳିଦାନ ଓ ସଂଘର୍ଷର ମୁକସାକ୍ଷୀ କେବଳ ଭଗବାନ। ଆଜିର ସମାଜରେ ବିବାହର ପରିଭାଷା ବଦଳିଯାଇଛି। ସମାଜରେ ଆମ ପରମ୍ପରାରେ ଶାସ୍ତ୍ରରେ ବିବାହ ଅନୁଷ୍ଠାନର ଭୂମିକା କଣ? ବୈବାହିକ ସମ୍ପର୍କରେ ମହତ୍ତ୍ଵ, ଦାୟିତ୍ଵ ଓ ସମ୍ମାନର କଥାକୁ ନେଇ ବଡ଼ ପରଦାରେ ମୁକ୍ତିଲାଭ କରିଛି ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର “ୱାଇଫ୍” l
ଚଳଚ୍ଚିତ୍ରରେ ଭରପୁର ମନୋରଞ୍ଜନ ସହିତ ଅନେକ ଶିକ୍ଷଣୀୟ ସାମାଜିକ ବାର୍ତ୍ତା ରହିଛି l ବାହାଘର ଏକ ଖେଳ ଘର ନୁହେଁ ଏକଥା ସମାଜରେ ସମସ୍ତେ ଜାଣନ୍ତି l ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପବିତ୍ର ହୋମ ଅଗ୍ନିକୁ ସାକ୍ଷୀ ରଖି ବନ୍ଧୁବାନ୍ଧବଙ୍କ ଗହଣରେ, ଭୋଜିଭାତ ମାଧ୍ୟମରେ ଦୁହେଁ ଦୁହିଁଙ୍କୁ ସାତ ଜନମର ସାଥି ହେବା ପାଇଁ ଶପଥ ନେଇଥାନ୍ତି, ହେଲେ ସ୍ତ୍ରୀ କୁ ଚାରି କାନ୍ଥରେ ଆବଦ୍ଧ ରଖି ନିଜର ପୁରୁଷ ପଣିଆକୁ ଜାହିର କରି ସ୍ତ୍ରୀ ପ୍ରତି ଅତ୍ୟାଚାର କରିଚାଲେ l ଯେବେ ବିଚ୍ଛେଦ କଥା ଉଠେ ସେତେବେଳେ କେବଳ ଖଣ୍ଡିଏ କାଗଜରେ ଦସ୍ତଖତଟିଏ ନେଇ ଖେଳ ସାରିଦେବାଳୁ ବାଧ୍ୟ କରାଏ l ସେତେବେଳେ ସମାଜ, ବନ୍ଧୁବାନ୍ଧବ କୁଆଡେ ଗଲେ? ଯଦି ବିବାହ ବେଳେ ଏତେ ଆୟୋଜନ ତେବେ ବିଚ୍ଛେଦ ବେଳେ କାହିଁକି ନୁହେଁ?
ଏମିତି ଏକ ମନଛୁଆଁ କାହାଣୀ କୁ ନେଇ ନିର୍ମାଣ ହୋଇଛି ୱାଇଫ୍ ଯାହା ଦର୍ଶକ ଦେଖିଲେ ନିଜ ଜୀବନ କାହାଣୀ ସହିତ କିଛି ମାତ୍ରାରେ ସଂଯୋଗ କରିପାରିବେ l
ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ ଓ କାର୍ଯ୍ୟ କାରୀ ନିର୍ଦ୍ଦେଶକ ଅଛନ୍ତି ବବି ଇସଲାମ, ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ l ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର ଏବଂ ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ଏବଂ ଅରୁଣ ମନ୍ତ୍ରୀ l କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ହ୍ୟୁମାନ ସାଗର ଏବଂ ସତ୍ୟଜିତ ପ୍ରଧାନ । ମୋଟ ୪ ଟି ଗୀତ ବେଶ ଶୃତି ମଧୁର ଓ ମେଲୋଡିଅସ ହୋଇଛି।
ପ୍ରଥମ ଦିନରେ ସାରା ଓଡିଶାର ୧୦ଟି ଯାକ ପ୍ରେକ୍ଷାଳୟରେ ଭରପୁର ଦର୍ଶକ ୱାଇଫ୍ ଦେଖି ଢେର ପ୍ରଶଂସା କରିଥିଲେ l