ର ମୁଖ୍ୟ ଭାବରେ ଦାୟିତ୍ଵ ନେଲେ ରବି ସିହ୍ନା
ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନାଙ୍କୁ ଭାରତର ପ୍ରମୁଖ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ (ର’ର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ୧୯୮୮ ବ୍ୟାଚ ଛତିଶଗଡ଼ କ୍ୟାଡରର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ସିହ୍ନା ବର୍ତ୍ତମାନ କ୍ୟାବିନେଟ୍ ସଚିବାଳୟରେ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସିହ୍ନାଙ୍କୁ ଦୁଇ ବର୍ଷ ପାଇଁ ର’ ର ସଚିବ ଭାବେ ନିଯୁକ୍ତ କରିବାକୁ କ୍ୟାବିନେଟ୍ ର ନିଯୁକ୍ତି କମିଟି ଅନୁମୋଦନ କରିଛି । ପୁଲିସ ମହଲରେ ସେ ଅପରେସନ ମ୍ୟାନ ଭାବେ ପରିଚିତ ।
ବର୍ତ୍ତମାନର ର’ ମୁଖ୍ୟ ସାମନ୍ତ କୁମାର ଗୋଏଲଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୩୦ରେ ଶେଷ ହେଉଛି। ଗୋଏଲ ହେଉଛନ୍ତି ପଞ୍ଜାବ କ୍ୟାଡରର ଜଣେ ଆଇପିଏସ ଅଧିକାରୀ । ସାମନ୍ତ ଗୋଏଲଙ୍କ କାର୍ଯ୍ୟକାଳ ସମୟରେ ଅନେକ ସଫଳତା ଭାରତ ନାଁରେ ଥିଲା। ତାଙ୍କ କାର୍ଯ୍ୟକାଳ ରେ ହିଁ ପାକିସ୍ତାନର ବାଲାକୋଟ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏହାବ୍ୟତୀତ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା ।
ସୂଚନାଯୋଗ୍ୟ, ବିଦେଶରେ ଭାରତ ପାଇଁ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା ଦାୟିତ୍ୱ ର’ ଉପରେ ରହିଛି। କୌଣସି ଦେଶରେ ଘଟୁଥିବା ଘଟଣାବଳୀ ଓ ପଦକ୍ଷେପର ପ୍ରଭାବ ଭାରତ ଉପରେ କଣ ରହିବ ତାହାର ମୂଲ୍ୟାଙ୍କନ କରିଥାଏ ଓ ଭାରତ ସରକାରଙ୍କୁ ସୂଚୀତ କରିଥାଏ । ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱରେ ‘ର’ ଗଠନ ହୋଇଥିଲା। ରାମେଶ୍ୱର ନାମ କାଓ ଏହାର ପ୍ରଥମ ମୁଖ୍ୟ ଥିଲେ । ର’ ର ରିପୋର୍ଟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥାଏ ।