ନୂଆଦିଲ୍ଲୀ (ଆମ ଟିଭି): ବିହାର ରାଜନୀତିରେ ଏକ ହଲଚଲ ଦେଖିବାକୁ ମିଳିଛି । ଜେଡିୟୁରୁ ଇସ୍ତଫା ଦେଇ ନୀତିଶ କୁମାର ଓ ଜେଡିୟୁ ବିରୋଧରେ ମୋର୍ଚ୍ଚା ଖୋଲିଥିବା ଆରସିପି ସିଂ ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସେ ଦଳର ପ୍ରାଥମିକ ସଦସ୍ୟତା ନେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଏହି ସଭାରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ମଧ୍ୟ ସାମିଲ ଥିଲେ ।
ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂଙ୍କୁ ନେଇ ଜେଡିୟୁ ଓ ଆରସିପି ସିଂଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଗତବର୍ଷ ଅଗଷ୍ଟ ମାସରେ ବିହାରରେ କ୍ଷମତା ପରିବର୍ତ୍ତନ ହେବା ପରେ ନୀତିଶ କୁମାର ବିଜେପି ମେଣ୍ଟରୁ ବାହାରି ଯାଇଥିଲେ । ସେତେବେଳେ ଆରସିପି ସିଂ ଏନଡିଏ ମେଣ୍ଟରେ କେନ୍ଦ୍ରମନ୍ତ୍ରୀ ଥିଲେ । ହେଲେ ବିହାରରେ ଜେଡିୟୁ ଓ ବିଜେପି ମେଣ୍ଟ ଭାଙ୍ଗିବା ପରେ ଆରସିପି ସିଂ ଓ ବିଜେପି ମଧ୍ୟରେ ସଂପର୍କ ଘନିଷ୍ଠ ହୋଇଥିଲା ।