କର୍ଣାଟକ ବିଜେପିରେ ବିଦ୍ରୋହ, ଜାଣନ୍ତୁ କାହିଁକି

0

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିବାପରେ ବିଜେପି ପାଇଁ ଅଡ଼ୁଆ ବଢ଼ିଛି। ଟିକେଟ ପାଇନଥିବା ଅନେକ ନେତା ଦଳ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଦୀଙ୍କୁ ଟିକେଟ ନମିଳିବା ପରେ ସେ ଆଜି ଦଳ ଛାଡ଼ି ଦେଇଛନ୍ତି। ସେହିପରି ଜଣେ ପୂର୍ବତନ ବିଜେପି ବିଧାୟକ ଡୋଡାପ୍ପାଗୌଡ଼ା ପାଟିଲ ଦଳରୁ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଅନ୍ୟ ଜଣେ ମନ୍ତ୍ରୀ ଏସ୍‌ ଅଙ୍ଗାରା ମଧ୍ୟ ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି। ସମସ୍ତ ୩ ନେତା ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଆଜି ଇସ୍ତଫା ଦେବାପରେ ଲକ୍ଷ୍ମଣ ସବାଦୀ କହିଛନ୍ତି, ମୁଁ ମୋ ନିଷ୍ପତ୍ତି ନେଇସାରିଛି। ମୁଁ ଭିକ ମାଗିବିନି। ମୁଁ ଜଣେ ଆତ୍ମ ସମ୍ମାନ ଥିବା ରାଜନେତା। କାହା ପ୍ରଭାବରେ ମୁଁ କାମ କରୁନି। ତେବେ ମିଳିଥିବା ସୂଚନାନୁଯାୟୀ ଲକ୍ଷ୍ମଣ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ସେ ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କଂଗ୍ରେସ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରି ବିବୃତି ଜାରି କରିଛି।

ଜଗଦୀଶ ସେଟ୍ଟାରଙ୍କୁ ଟିକେଟ ମିଳିବାର ୯୯ ପ୍ରତିଶତ ସମ୍ଭାବନା : ୟେଦୁରପ୍ପା
ବେଙ୍ଗାଲୁରୁ : ଟିକେଟ ବଣ୍ଟନ ନେଇ କର୍ଣ୍ଣାଟକ ବିଜେପିରେ ଚରମ କନ୍ଦଳ ଆରମ୍ଭ ହୋଇଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍‌ ୟେଦୁରପ୍ପା ଆଜି କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାରଙ୍କୁ ଟିକେଟ ମିଳିବ। ସେଟ୍ଟାରଙ୍କୁ ଟିକେଟ ମିଳିବାର ୯୯ ପ୍ରତିଶତ ସମ୍ଭାବନା ରହିଛି ବୋଲି ‌ୟେଦୁରପ୍ପା କହିଛନ୍ତି। ଉଲ୍ଲେଖ‌ଯୋଗ୍ୟ ଯେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସେଟ୍ଟାରଙ୍କ ନାଁ ନଥିଲା। ପ୍ରଥମ ପର୍ଯ୍ୟାୟରେ ସେଟ୍ଟାରଙ୍କ ନାଁ ନଥିବାରୁ ସେ ଆଜି ଦିଲ୍ଲୀ ଆସି ଦଳ ସଭାପତି ଅମିତ ଶାହଙ୍କୁ ଭେଟିଛନ୍ତି। ଶାହଙ୍କ ସହିତ ଆଲୋଚନା ପରେ ତାଙ୍କୁ ଟିକେଟ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Leave A Reply

Your email address will not be published.