ରେକର୍ଡ ଭାଙ୍ଗିଲା ରାଜଧାନୀ
କଲବଲ କରୁଛି ପ୍ରଚଣ୍ଡ ଖରାର କୋପ। ତତଲା କଡ଼େଇରେ ସିଝି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ମାତ୍ର ଆସନ୍ତା ୫ ଦିନ ଯାଏ ତାତିରୁ ମିଳିବ ନାହିଁ କୌଣସି ଆଶ୍ୱସ୍ତି। ଆହୁରି ଉପରମୁହାଁ ହେବ ପାରଦ । ଗତକାଲି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ବି ସମାନ ଅବସ୍ଥା।
ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଅଧିକାଂଶ ସହରର ପାରଦ ୪୧ ଡିଗ୍ରୀ ଛୁଇଁ ସାରିଲାଣି । ଆଜି ବି ରାଜଧାନୀ ହିଁ ପାଲଟିଛି ସବୁଠୁ ଉତ୍ତପ୍ତ ସହର । ରାଜଧାନୀରେ ତାତି ୪୧.୧ ଡିଗ୍ରୀ ସେଲସିୟସ୍ ଛୁଇଁସାରିଲାଣି।
ବାଲେଶ୍ୱର ଓ ଚାନ୍ଦବାଲିରେ ୪୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ତାପମାତ୍ରା। ଝାରସୁଗୁଡ଼ାରେ ୪୦.୪, ହୀରାକୁଦରେ ୪୦.୨ ଓ କେନ୍ଦୁଝରରେ ୩୯.୬ ଡିଗ୍ରୀ ସେଲସିୟସ୍ ରହିଛି। ସେହିପରି ସମ୍ବଲପୁର ୩୯ ଓ ରାଉରକେଲା ୩୮.୮, ପାରାଦ୍ୱୀପ ୩୪.୨, ପୁରୀ ୩୪.୨ ଓ ଗୋପାଳପୁର ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଆଗାମୀ ୫ ଦିନ ରାଜ୍ୟରେ ତାତି ଆହୁରି ବଢ଼ିବ। ୨୭-୨୮ ତାରିଖ ବେଳକୁ ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର, ନୂଆପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ବର ଭଳି ୧୦ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ନେଇ ସତର୍କ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟ ।