ରେଭେନ୍ସା ବିଶ୍ଵବିଦ୍ୟାଳୟ ପାଇଲା ନାକର ‘ଏ++’ ମାନ୍ୟତା: ଉତ୍କଳ ବିଶ୍ୱବିଦ୍ୟାଳୟ କେବେ ?

0

କଟକ(ଆମ ଟିଭି): ପୁଣି ଇତିହାସ ରଚିଲା ରେଭେନ୍ସା ବିଶ୍ଵବିଦ୍ୟାଳୟ । ରାଜ୍ୟର ପ୍ରଥମ ବିଶ୍ବବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌(ନାକ୍‌) ପକ୍ଷରୁ ‘ଏ++’ ମାନ୍ୟତା ଦିଆଯାଇଛି। ଶନିବାର ଅପରାହ୍ଣରେ ନାକ୍‌ ପକ୍ଷରୁ ବିଧିବଦ୍ଧଭାବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ପୂର୍ବରୁ ୨୦୧୬ରେ ବିଶ୍ବବିଦ୍ୟାଳୟକୁ ନାକ୍‌ ପକ୍ଷରୁ ‘ଏ’ ମାନ୍ୟତା ପ୍ରଦାନ କରାଯାଇଥିଲା।

ବିଶ୍ବବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷାଦାନ ଓ ଗବେଷଣା ସଂକ୍ରାନ୍ତରେ ଅନୁଧ୍ୟାନ କରିବାକୁ ନଭେମ୍ବର ୨୦ରେ ଏକ ୫ଜଣିଆ ପ୍ରତିନିଧି ଦଳ ବିଶ୍ବବବିଦ୍ୟାଳୟ ଗସ୍ତରେ ଆସିଥିଲେ। ଏହି ପ୍ରତିନିଧି ଦଳ ୩ଦିନ ଧରି ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷାଦାନ ପଦ୍ଧତି ଅନୁଧ୍ୟାନ କରି ୨୨ରେ ଫେରିଯାଇଥିଲେ। ନାକ୍ ତରଫରୁ ବିଶ୍ବବିଦ୍ୟାଳୟକୁ ମୋଟ୍ ୪ ନମ୍ବରରୁ ୩.୫୮ ମୂଲ୍ୟାଙ୍କନ ମିଳିଛି। ରେଭେନ୍ସାକୁ ପାଠ୍ୟକ୍ରମ ଭିତ୍ତିରେ ୩.୭୩ ପଏଣ୍ଟ, ଶିକ୍ଷାଦାନ-ଶିକ୍ଷା ଗ୍ରହଣ ଏବଂ ମୂଲ୍ୟାଙ୍କନ ପର୍ଯ୍ୟାୟରେ ୩.୧୯ ପଏଣ୍ଟ, ଗବେଷଣା ଏବଂ ନବୋନ୍ମେଷ ପାଇଁ ୩.୫ ପଏଣ୍ଟ, ଭିତ୍ତିଭୂମିରେ ୩.୮୫ ପଏଣ୍ଟ, ଛାତ୍ର ସମର୍ଥନ ଏବଂ ପ୍ରଗତିରେ ୩.୭୫ ପଏଣ୍ଟ, ଶାସନ, ନେତୃତ୍ବ ଏବଂ ପରିଚାଳନା ଭିତ୍ତିରେ ୩.୫୮ ପଏଣ୍ଟ, ଆନୁଷ୍ଠାନିକ ମୂଲ୍ୟ ଏବଂ ସର୍ବୋତ୍ତମ ଅଭ୍ୟାସରେ ୩.୯୧ ପଏଣ୍ଟ ମିଳିଛି।

ନାକ୍ ଦଳ ଦୃଷ୍ଟିହୀନ ବିଦ୍ୟାର୍ଥୀଙ୍କ ପାଇଁ ବ୍ରେଲି ପାଠାଗାର, ରେଭେନ୍ସା ରେଡିଓ, କ୍ରୀଡ଼ା ଭିତ୍ତିଭୂମି ପାଇଁ ପୂର୍ଣ୍ଣ ନମ୍ବର ଦେଇଛନ୍ତି। ଯୋଗ ବିଜ୍ଞାନ, ପାଠାଗାର ବିଜ୍ଞାନ ବିଷୟରେ ପାଠ୍ୟକ୍ରମ ଖୋଲିବାକୁ ନାଳ ଦଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି। ସେପଟେ ଓଡିଶାର ସବୁଠୁ ବଡ଼ ବିଶ୍ଵବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ କେବେ ପାଇବ ନାକ୍++ ମାନ୍ୟତା, ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

Leave A Reply

Your email address will not be published.