ନୂଆଦିଲ୍ଲୀ(ଆମ ଟିଭି): ଆଜି ଭାରତ ପାଳୁଛି ତାର ୭୫ତମ ଗଣତନ୍ତ୍ର ଦିବସ । ଆମେରିକା ଏବଂ ରୁଷିଆ ଭାରତକୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଆମେରିକା ଭାରତକୁ ଏହାର ପ୍ରମୁଖ ରଣନୀତିକ ଅଂଶୀଦାର ବୋଲି ବର୍ଣ୍ଣନା କରିଛି । ସାଧାରଣତନ୍ତ୍ର ଦିବସ ଅବସରରେ ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତି ଜାରି କରି ଭାରତ ସହ ସମ୍ପର୍କକୁ ଆହୁରି ଗଭୀର କରିବାକୁ କହିଛି।
ଆମେରିକାର ବୈଦେଶିକ ବିଭାଗର ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା। ଭାରତ ହେଉଛି ଏକ ଦେଶ ଯାହା ଆମେରିକା ପାଇଁ ଏକ ପ୍ରମୁଖ ରଣନୀତିକ ଭାଗିଦାରୀ ଅଟେ। ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆମର ସହଯୋଗକୁ ମଜବୁତ କରିବାକୁ ଆଗ୍ରହୀ। ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ମଧ୍ୟ ଭାରତକୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଆମେ ଆଗାମୀ ବର୍ଷରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବାକୁ ଅପେକ୍ଷା କରିଛୁ। ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଏବଂ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି ।