ଋଷ ୟୁକ୍ରେନ ଯୁଦ୍ଧକୁ ପୁରିଲା ଦୁଇ ବର୍ଷ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ଦୁଇବର୍ଷ। ହୋଇପାରିଲାନି ହିସାବନିକାଶ । ୨୦୨୨ ଫେବୃଆରୀରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ସାରା ବିଶ୍ବ ହୋଇଯାଇଥିଲା ସ୍ତମ୍ଭୀଭୂତ। ଏକଦା ସୋଭିଏତ ରାଷ୍ଟ୍ର ସଂଘରେ ଦୁଇ ପ୍ରମୁଖ ଶକ୍ତି ଥିବା ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ସାରା ବିଶ୍ବରେ ପକାଇଛି ପ୍ରଭାବ। କେବଳ ଋଷର ୩ ଲକ୍ଷ ୧୫ ହଜାର ସୈନ୍ୟ ମୃତାହତ, ଯାହାକି ଯୁଦ୍ଧ ପୂର୍ବବର୍ତ୍ତୀ ସମୟରେ ଥିବା ସୈନ୍ୟ ସଂଖ୍ୟାର ୯୦ ପ୍ରତିଶତ।
ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ ହଜାରରୁ ଅଧିକ ଓ୍ବାଗନର ବାହିନୀ ସୈନ୍ୟ । ସେପଟେ ୟୁକ୍ରେନର ନିହତ ସୈନ୍ୟ ସଂଖ୍ଯା ହେଲାଣି ପ୍ରାୟ ୩୦ ହଜାର। ଯୁଦ୍ଧ ଯୋଗୁ ପ୍ରାୟ ୬୦ ଲକ୍ଷ ୟୁକ୍ରେନ ନାଗରିକ ପଳାୟନ କରି ୟୁରୋପର ବିଭିନ୍ନ ରାଷ୍ଟ୍ରରେ ଶରଣାର୍ଥୀ ସାଜିଥିବାବେଳେ ଦେଶ ଭିତରେ ପ୍ରାୟ ୮୦ ଲକ୍ଷ ନାଗରିକ ବାସହୀନ କିମ୍ବା ବେସାହାରା ହୋଇଛନ୍ତି। ଯୁଦ୍ଧ ଜାରି ରହିଥିବାବେଳେ ଗତ ସପ୍ତାହରେ ୟୁକ୍ରେନର ଆଭିଦିଭକା ସହରକୁ ଋଷ ବାହିନୀ କରିଥିଲେ କବଜା ଯାହା ଥିଲା ୟୁକ୍ରେନ ଲାଗି ବିରାଟ ଧକ୍କା ।