ଋଷ୍ ଦେଲା ଶରଣ, ମସ୍କୋରେ ସିରିଆର ରାଷ୍ଟ୍ରପତି

0

ନୂଆଦିଲ୍ଲୀ (ଆମ ଟିଭି): ରୁଷ୍‌ରେ ଅଛନ୍ତି ସିରିଆ ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ । କାଲି ଦେଶ ଛାଡ଼ି ପଳାଇବା ପରେ ରୁଷିଆରେ ଶରଣ ନେଇଛନ୍ତି ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ । ବଶର୍ ଅଲ୍-ଅସଦଙ୍କ ସହ ପରିବାରକୁ ରାଜନୈତିକ ଶରଣ ଦେଇଛନ୍ତି ପୁଟିନ୍ । ଆଫଗାନିସ୍ତାନ, ବାଂଲାଦେଶ ପରେ ଏବେ ସିରିଆରେ ଶାସକଙ୍କ ଗାଦିଚ୍ୟୁତ । ରାଷ୍ଟ୍ରପତିଙ୍କ ପଳାୟନ ପରେ ଦାମାସ୍‌କସ୍‌କୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ ।

ସିରିଆରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଗତକାଲି ଦେଶ ଛାଡିଥିଲେ ରାଷ୍ଟ୍ରପତି । ସେପଟେ ବିଦ୍ରୋହୀ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରିବାରେ ଲାଗିଛନ୍ତି । ତାହାରି ଭିତରେ ରାଷ୍ଟ୍ରପତି ଦେଶ ଛାଡିବା ନେଇ ସୂଚନା ମିଳିବା ପରେ ସେଲିବ୍ରେସନ କରିଛନ୍ତି ବିରୋଧୀ । ଅନ୍ୟପଟେ ହିଂସା କାରଣରୁ ଦେଶରେ ଦେଖାଦେଇଛି ଖାଦ୍ୟ ସଙ୍କଟ । ପ୍ରଭାବିତ ହୋଇଛନ୍ତି ଜନସାଧାରଣ ।

ଅସଦଙ୍କ ବିରୋଧରେ ଗତ ୧୪ ବର୍ଷ ହେଲା ବିଦ୍ରୋହ ଜାରି ରହିଥିଲା। ଏବେ ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି। ୨୦୧୧ରୁ ଆରମ୍ଭ ହୋଇଥିବା ଗୃହଯୁଦ୍ଧର ଭୟଙ୍କର ପରିଣତି ଭୋଗୁଛନ୍ତି ଦେଶବାସୀ। ଶେଷରେ ଅବସାନ ହୋଇଛି ୨୪ ବର୍ଷର ଶାସନ। ଆବୁ ମହମ୍ମଦ ଅଲ ଜୋଲାନୀ ନେତୃତ୍ବାଧୀନ ଇସଲାମିକ ସଂଗଠନ ହାୟତ ତାହିରିର ଅଲ ଶାମ ବା ଏଚଟିଏସ ଏବେ ନୂତନ ସରକାର ଗଢିବାରେ ଲାଗିପଡିଛି । ଅନ୍ୟପଟେ ତୁରନ୍ତ ସିରିଆ ଛାଡିବା ଲାଗି ଭାରତ, ଆମେରିକା, ରୁଷିଆ, ବ୍ରିଟେନ, ଇରାନ ସମେତ ବିଭିନ୍ନ ରାଷ୍ଟ୍ର ନିଜ ଦେଶର ନାଗରିକଙ୍କୁ ଦେଇଛନ୍ତି ନିର୍ଦ୍ଦେଶ।

Leave A Reply

Your email address will not be published.