ଋଷ-ଆମେରିକା ମୁହାଁମୁହିଁ, ଶାନ୍ତି ଚୁକ୍ତି ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ପୁଟିନ

0

ଆମେରିକା (ଆମ ଟିଭି): ଗାଜା ଶାନ୍ତି ଚୁକ୍ତି ପ୍ରସ୍ତାବ ନେଇ ଋଷ-ଆମେରିକା ମୁହାଁମୁହିଁ । ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଗାଜା ଶାନ୍ତି ଚୁକ୍ତି ନେଇ ମତଦାନ ହେବାକୁ ଯାଉଥିବା ବେଳେ ଏହାକୁ ବିରୋଧ କରିବାକୁ ଯୋଜନା କରିଛି ଋଷ । ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହୋଇଥିବା ଗାଜା ଶାନ୍ତି ଚୁକ୍ତିର ପ୍ରସ୍ତାବଗୁଡିକୁ ବିରୋଧ କରିଛି ଋଷ । ଆନ୍ତର୍ଜାତିକ ନୀତି ଅନୁଯାୟୀ ଏହି ଶାନ୍ତି ପ୍ରସ୍ତାବ ପ୍ରସ୍ତୁତ ହୋଇନଥିବା ଋଷ କହିଛି  ।

ସୂଚନାନୁଯାୟୀ, ଜାତିସଂଘ ସୁରକ୍ଷା ପରିଷଦରେ ସାର୍ବଜନୀନ ଭାବେ ସ୍ୱୀକୃତ ଆନ୍ତର୍ଜାତିକ ଆଇନଗତ ପରିଧି ମଧ୍ୟରେ ଇସ୍ରାଏଲ ଓ ହମାସ ବିବାଦର ବୁଝାମଣା ହେବା ଉଚିତ ବୋଲି ଋଷ ପକ୍ଷରୁ କୁହାଯାଇଛି । ହେଲେ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ପ୍ରସ୍ତୁତ ହୋଇଥିବା ଗାଜା ଶାନ୍ତି ଚୁକ୍ତିରେ ଏସବୁ ନାହିଁ । ଗାଜା ଶାନ୍ତି ଚୁକ୍ତି ପାଇଁ ଋଷ ପ୍ରସ୍ତାବ ପ୍ରସ୍ତୁତ କରିବା ସହ ଏ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ । ନେତାନ୍ୟାହୁ – ପୁଟିନ ଆଲୋଚନା ବେଳେ ଗାଜା ସହ ମଧ୍ୟପ୍ରାଚ୍ୟ ସ୍ଥିତି, ବନ୍ଦୀ ବିନିମୟ, ଇରାନ ଆଣବିକ କାର୍ଯ୍ୟକ୍ରମ ଏବଂ ସିରିଆ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି ।

ଅନ୍ୟପଟେ ଇଜିପ୍ଟ, କାତାର, ଆମେରିକା ଓ ତୁର୍କୀ ମଧ୍ୟସ୍ଥତାରେ ଗତ ଅକ୍ଟୋବର ୧୦ ତାରିଖରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇଥିଲା । ବିଶେଷ କରି ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଗାଜା ଶାନ୍ତି ଚୁକ୍ତି ହୋଇଥିଲା । ଏଥିରେ ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତି, ପାଲେଷ୍ଟାଇନ ଜେଲରେ ଥିବା ବନ୍ଦୀଙ୍କ ମୁକ୍ତି ପାଇଁ ସର୍ତ୍ତ ରହିଛି । ସେହିପରି ଦୀର୍ଘବର୍ଷ ଯୁଦ୍ଧବିଧ୍ୱସ୍ତ ଗାଜାରର ପୁନଃନିର୍ମାଣ ସହ ହମାସ ଆତଙ୍କୀଙ୍କୁ ବାଦ ଦେଇ ନୂଆ ସରକାର ଗଠନ ପାଇଁ ପ୍ରସ୍ତାବ ରହିଛି । ଅକ୍ଟୋବର ୯ ତାରିଖରୁ ଏହି ଚୁକ୍ତିର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇଛି। ଗତ ସପ୍ତାହରେ ଟ୍ରମ୍ପଙ୍କ ୨୦ ସୂତ୍ରୀ ଗାଜା ଯୋଜନାର ଚିଠା ପ୍ରସ୍ତାବ ଉପଲବ୍ଧ ହୋଇଥିଲା । ତେବେ ଏହି ପ୍ରସ୍ତାବ ଅନୁଯାୟୀ ଗାଜାରେ ନୂଆ ସରକାର ଗଠନ ପାଇଁ ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ଗଠିତ ହେବାକୁ ଯାଉଥିବା କମିଟିକୁ ଋଷ ବିରୋଧ କରିଛି ।

Leave A Reply

Your email address will not be published.