ଋଷ-ୟୁକ୍ରେନ୍ ଯୁଦ୍ଧ: ପରମାଣୁ ଯୁଦ୍ଧ ଏଡାଇବାକୁ ରାଜନାଥ ସିଂଙ୍କ ଆହ୍ୱାନ
ନୂଆଦିଲ୍ଲୀ (ଆମ ଟିଭି): ଋଷ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ପରମାଣୁ ଆକ୍ରମଣ ଭୟ ବଢିବାରେ ଲାଗିଛି । ଆଣବିକ ଅସ୍ତ୍ର ସହିତ ଋଷ ସୈନ୍ୟ ଅଭ୍ୟାସ କରୁଥିବା ଖବର ଆସିଲାଣି । ରୁଷ ସେନାଙ୍କୁ ଘେରିବା ପାଇଁ ୟୁକ୍ରେନ ସେନା ଡାର୍ଟି ବୋମା ମାଡ କରୁଥିବା ମସ୍କୋ ଅଭିଯୋଗ ଆଣିଛି । ଆଉ ଏହାର ଜବାବରେ ଆଣବିକ ଅସ୍ତ୍ର ଅଭ୍ୟାସ ଆରମ୍ଭ କରିଛି ରୁଷ । ଏପରି ସମୟରେ ରୁଷ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇ କୌଣସି ମତେ ପରମାଣୁ ଯୁଦ୍ଧ ଏଡାଇବାକୁ ଆହ୍ୱାନ କରିଛନ୍ତି ରାଜନାଥ ସିଂ ।
ଯେକୌଣସି ପରିସ୍ଥିତିରେ ମଧ୍ୟ ପରମାଣୁ ଯୁଦ୍ଧ ଏଡାଇବା ପାଇଁ ଉଭୟ ପକ୍ଷ ଯତ୍ନବାନ ହେବା ଜରୁରୀ ବୋଲି ଭାରତ ଅପିଲ କରିଛି । ରୁଷ ଓ ୟୁକ୍ରେନ କୁଟନୈତିକ ଏବଂ ଶାନ୍ତି ଆଲୋଚନା ଜରିଆରେ ବିବାଦର ସମାଧାନ କରିବା ଉଚିତ୍ । ପରମାଣୁ ବୋମା ଓ ଡାର୍ଟି ବୋମା ମାନବ ସଭ୍ୟତାର ଅସ୍ତିତ୍ୱ ପାଇଁ ବିପଦ । ତେଣୁ ଆଣବିକ ଅସ୍ତ୍ର ପ୍ରୟୋଗରୁ ବିରତ ହେବାକୁ ଅପିଲ କରିଛନ୍ତି ରାଜନାଥ ସିଂହ । ପୂର୍ବରୁ ଭାରତ କୁଟନୈତିକ ଓ ଶାନ୍ତି ଆଲୋଚନା ଜରିଆରେ ସମାଧାନ ପାଇଁ ରୁଷ ଓ ୟୁକ୍ରେନ କହି ଆସୁଛି ଭାରତ । ଏପରି କି ଗତ ଏସସିଓ ସମ୍ମିଳନୀରେ ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଯୁଦ୍ଧର ଯୁଗ ନୁହେଁ ବୋଲି କହିଥିଲେ ।