ନୂଆଦିଲ୍ଲୀ (ଆମ ଟିଭି): ଜେଲରେ ଅସୁସ୍ଥ ହୋଇପଡ଼ିଲେ ସତ୍ୟେନ୍ଦ୍ର ଜୈନ । ଅର୍ଥ ହେରଫେର ମାମଲାରେ ପାଖାପାଖି ଗୋଟିଏ ବର୍ଷ ହେବ ତିହାଡ ଜେଲରେ ଥିବା ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ହଠାତ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ତୁରନ୍ତ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଛି । ପୂର୍ବ ଶୁଣାଣି ବେଳେ ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଥିଲେ କି ଜେଲକୁ ଆସିବା ପରେ ଜୈନଙ୍କ ଓଜନ ୩୫ କିଲୋ କମିଛି । ଏବେ ସେ ସମ୍ପୂର୍ଣ୍ଣ ଅସୁସ୍ଥ ରହିଛନ୍ତି ।
ସୂଚନା ଥାଉକି ମେ’୧୮ ତାରିଖରେ ସୁପ୍ରିମକୋର୍ଟରେ ଜୈନଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ବେଳେ ଜୈନଙ୍କ ଓକିଲ ଅଭିଷେକମନୁ ସଂଘଭୀ ଜୈନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଉଠାଇଥିଲେ । ସେ କୋର୍ଟଙ୍କୁ ଜଣାଇଥିଲେ କି ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ । ତେଣୁ ଏହା ଉପରେ କୋର୍ଟ ବିଚାର କରିବାର ଆବଶ୍ୟକତା ରହିଛି । ସିବିଆଇ ତରଫରୁ ୨୦୧୭ ମସିହାର ଦୁର୍ନୀତି ନିରୋଧ ଆଇନ ବଳରେ ଜୈନଙ୍କ ନାମରେ ଅଭିଯୋଗ ଆଣିଥିଲା । ଏହି ଅଭିଯୋଗ ଆଧାରରେ ତାଙ୍କୁ ଗୋଟିଏ ବର୍ଷ ପୂର୍ବରୁ ଗିରଫ କରାଯାଇଥିଲା ।