ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ମିଳିଲା ଆଶ୍ୱସ୍ତି

0

କଟକ(ଆମ ଟିଭି): ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଓଡିଶା ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ। ଅନ୍ୟାଦେଶ ପର୍ଯ୍ୟନ୍ତ ନିମ୍ନ ଅଦାଲତରେ ମାମଲାର ଶୁଣାଣି ଉପରେ ଲଗାଇଲେ ଅଙ୍କୁଶ। ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଆଜି ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ପାରଳାଖେମୁଣ୍ଡି ବନଖଣ୍ଡର ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ। ତେବେ ତାଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଭାରତୀ ଦାୟୀ ବୋଲି ସୌମ୍ୟଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ହେବା ପରେ ମାମଲାର ତଦନ୍ତ ଭାର କ୍ରାଇମ୍‌ ବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। ନିଆଁରେ ପୋଡ଼ି ଯାଇଥିବା ସୌମ୍ୟଙ୍କୁ ତୁରନ୍ତ ହସ୍ପିଟାଲ ନେବାରେ ପତ୍ନୀ ବିଦ୍ୟାଭରତୀ ଅବହେଳା କରିଥିଲେ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଏଥିପାଇଁ ବିଦ୍ୟାଭାରତୀଙ୍କୁ ଦାୟୀ କରି ଆଇପିସିର ଧାରା 304(a) ଓ 285 ରେ କ୍ରାଇମ୍‌ ବ୍ରାଞ୍ଚ ଚାର୍ଜସିଟ ଦାଖଲ କରିଥିଲା।

ସୌମ୍ୟ ମୃତ୍ୟୁ ମାମଲା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ବିଚାର ଚାଲିଥିବା ବେଳେ ଦୈନିକ ଶୁଣାଣିରେ ନିଜେ ହାଜର ନହୋଇ ଓକିଲ ଜରିଆରେ ହାଜର ହେବାକୁ ବିଦ୍ୟାଭାରତୀ ଆବେଦନ କରିଥିଲେ। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟ ଏହି ଆବେଦନକୁ ଖାରଜ କରିବା ପରେ ବିଦ୍ୟାଭାରତୀ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆସନ୍ତା ୨୮ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ଆଜି ବିଦ୍ୟାଭାରତୀଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିବା ସହ ନିମ୍ନ ଅଦାଲତଙ୍କ ଶୁଣାଣି ଉପରେ ଅଙ୍କୁଶ ଲଗାଇଛନ୍ତି। 

Leave A Reply

Your email address will not be published.