ନୂଆ ସଂସଦ ଭବନରେ ସ୍ଥାପନ ହେବ ‘ସେଙ୍ଗୋଲ୍‌’ , ଜାଣନ୍ତୁ ଏହି ‘ସେଙ୍ଗୋଲ୍‌’ କ’ ଣ

0

ନୂଆଦିଲ୍ଲୀ: ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଅବସର‌ରେ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ପ୍ରଧାନମନ୍ତ୍ରୀ ମୋଦୀ ‘ସେଙ୍ଗୋଲ୍‌’ (ଅଳଙ୍କୃତ ରାଜ-ଦଣ୍ଡ) ସ୍ଥାପନା କରିବେ ବୋଲି ଆଜି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମ‌ୋଦୀଙ୍କ ନେତୃତ୍ବାଧୀନ ସରକାରର ୯ମ ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ ଡକାଇ ସେ କହିଛନ୍ତି ଯେ, ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନ ଉଦ୍‌ଘାଟନ କରିବେ। ରେକର୍ଡ ସମୟ ମଧ୍ୟରେ ନୂଆ ସଂସଦ ଭବନ ନିର୍ମାଣ ‌ସମ୍ପନ୍ନ ହୋଇଛି ଏବଂ ଏହାକୁ ନିର୍ମାଣ କରିଥିବା ୬୦,୦୦୦ ଶ୍ରମଜୀବୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ମାନିତ କରିବେ। ସଂସଦ ଭବନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀର୍ଘକାଳୀନ ଦୂରଦୃଷ୍ଟି ପ୍ରତିପାଦନ କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଅବସରରେ ଗୋଟାଏ ଐତିହାସିକ ଘଟଣାର ପୁନଃରାବୃତ୍ତି ବି ହେବ। ତାହା ହେଲା, ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାର ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ‘ସେଙ୍ଗୋଲ୍‌’ (ଅଳଙ୍କୃତ ରାଜ-ଦଣ୍ଡ) ସ୍ଥାପନା କରିବେ। ଏହା ଆମ ଦେଶର ପରମ୍ପରା ଓ ଐତିହ୍ୟ ସହିତ ଜଡ଼ିତ। ଇତିହାସରେ ବି ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। କିନ୍ତୁ, ଅନେକ ବର୍ଷ ହେବ ଏହା ଆମ ଦୃଷ୍ଟିକୁ ଆସିନାହିଁ। ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଦିନ ନେହେରୁ ଏହାକୁ ବ୍ରିଟିସ୍‌ମାନଙ୍କଠାରୁ ଗ୍ରହଣ କରିଥିଲେ।

ଭାରତୀୟ ସଂସ୍କୃତି, ବିଶେଷତଃ ତାମିଲ ସଂସ୍କୃତିରେ ‌‘ସେଙ୍ଗୋଲ୍‌’ର ଖୁବ୍‌ ମହତ୍ତ୍ବ ରହିଛି। ଚୋଳ ରାଜବଂଶ ଅମଳରୁ ‘ସେଙ୍ଗୋଲ୍‌’ର ଗୁରୁତ୍ବ ରହି ଆସିଛି। ଏହାକୁ ନୂଆ ସଂସଦ ଭବନରେ ରଖାଯିବ ବୋଲି ସେ କହିଛନ୍ତି।ସୂଚନାଯୋଗ୍ୟ, ବ୍ରିଟିସ୍‌ମାନଙ୍କଠାରୁ ଭାରତୀୟମାନଙ୍କ ହାତକୁ କ୍ଷମତା ହସ୍ତାନ୍ତର କରିବାର ସଙ୍କେତସ୍ବରୂପ ଏହି ରାଜଦଣ୍ଡକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କୁ ଅର୍ପଣ କରାଯାଇଥିଲା। ପରେ ଏହି ସ୍ବର୍ଣ୍ଣ ରାଜଦଣ୍ଡଟିକୁ ଶୋଭାଯାତ୍ରାରେ ‘କନ୍‌ଷ୍ଟିଚ୍ୟୁଏଣ୍ଟ୍‌ ଆସେମ୍ବ୍ଲି ହଲ୍‌’କୁ ନିଆଯାଇଥିଲା।

Leave A Reply

Your email address will not be published.