ନୂଆଦିଲ୍ଲୀ (ଆମ ଟିଭି): ମହାରାଷ୍ଟ୍ର ରାଜନୀତିରେ ଏବ ବଡ଼ ଖବର ଆସି ପହଞ୍ଚିଛି । ଏନସିପିର ଅଧ୍ୟକ୍ଷ ପଦ ଛାଡିଲେ ଶରଦ ପାୱାର । ମହାରାଷ୍ଟ୍ର ନେତା ତଥା ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଶରଦ ପାୱାର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଶରଦଙ୍କ ଇସ୍ତଫା ଏପରି ସମୟରେ ଆସିଛି, ଯେଉଁ ସମୟରେ ପାର୍ଟିରେ ସବୁକିଛି ଠିକ୍ ନଥିବା ନେଇ ସୂଚନା ମିଳୁଛି । ପୂର୍ବରୁ କୁହାଯାଉଥିଲା ଯେ, ଦଳର ନେତା ଅଜିତ୍ ପାୱାର କିଛି ଏନସିପି ବିଧାୟକଙ୍କୁ ନେଇ ବିଜେପି ସହ ମିଶିପାରନ୍ତି ।
ମହାରାଷ୍ଟ୍ରରେ ସିନ୍ଧେ ଗୋଷ୍ଠୀକୁ ବାଦ୍ ଦେଇ ଏନସିପି ସହ ମିଶି ବିଜେପି ସରକାର ଗଠନ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଏହି ସବୁ ଚର୍ଚ୍ଚା ଭିତରେ ମଙ୍ଗଳବାର ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାର ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ଶରଦଙ୍କ ପରେ କିଏ ଦଳର ନେତୃତ୍ୱ ନେବ? କିଏ ଦଳର ଅଧ୍ୟକ୍ଷ ହେବ ତାକୁ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।