ଭୁବନେଶ୍ୱର (ଆମ ଟିଭି): ଶରଦ ପାୱାରଙ୍କ ଇସ୍ତଫା ପରେ ହଲଚଲ ହୋଇଥିଲା ମହାରାଷ୍ଟ୍ର ରାଜନୀତି । ଏହାରି ଭିତରେ ‘ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି’ର (ଏନ୍ସିପି) ମୁଖ୍ୟ ପଦରୁ ଶରଦ ପାୱାର ଦେଇଥିବା ଇସ୍ତଫାକୁ ଆଜି ମୁମ୍ବାଇରେ ଅନୁଷ୍ଠିତ ଦଳର ବୈଠକରେ ସର୍ବସମ୍ମତକ୍ରମେ ଅଗ୍ରାହ୍ୟ କରାଯାଇଛି। ୧୯୯୯ରେ ଗଠନ କରିଥିବା ଦଳର ମୁଖ୍ୟ ପଦରୁ ଓହରି ଯିବାକୁ ଚାହାଁନ୍ତି ବୋଲି ସ୍ପଷ୍ଟ କରି ସାରିଥିଲେ ସୁଦ୍ଧା ଦଳର ମୁଖ୍ୟ ପଦବୀ ମଣ୍ଡନ କରିବା ଲାଗି ୮୨ ବର୍ଷିୟ ପାୱାର୍ଙ୍କୁ ‘ଏନ୍ସିପି’ କମିଟି ଅନୁରୋଧ କରିଛି। ବରିଷ୍ଠ ‘ଏନ୍ସିପି’ ନେତା ପ୍ରଫୁଲ ପଟେଲ୍ଙ୍କ ନେତୃତ୍ବାଧୀନ କମିଟିର ବୈଠକରେ ଶରଦ ପାୱାର୍ଙ୍କ ଝିଅ ସୁପ୍ରିୟା ସୁଲେ ଏବଂ ପୁତୁରା ଅଜିତ ପାୱାର୍ ଉପସ୍ଥିତ ଥିଲେ।
ପ୍ରଫୁଲ ପଟେଲ୍ଙ୍କ ନିକଟରେ ‘ଏନ୍ସିପି’ ମୁଖପାତ୍ରମାନେ ଦାଖଲ କରିଥିବା ପ୍ରସ୍ତାବନାରେ ଉଲ୍ଲେଖ ଅଛି ଯେ, ଶରଦ ପାୱାର ଦଳର ଅଧ୍ୟକ୍ଷ ହୋଇ ରହିବେ। ସେମାନେ କହିଛନ୍ତି, ଆମେ କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଚୟନ କରିବୁ କିନ୍ତୁ, ଶରଦ ପାୱାର ଅଧ୍ୟକ୍ଷ ରହିବେ। ବୈଠକ ପରେ ପ୍ରଫୁଲ ପଟେଲ୍ କହିଛନ୍ତି, ରାଜ୍ୟ, ଦଳ ଓ ଦେଶ ଆପଣଙ୍କୁ ଲୋଡୁଛି। ଆପଣ ଏହି ଦଳର ମୂଳଦୁଆ। ଆପଣ ଦେଶର ସମ୍ମାନିତ ନେତା। ସମଗ୍ର ରାଜ୍ୟରେ ଆପଣଙ୍କ ପ୍ରଭାବ ପରିଲକ୍ଷିତ ହେଉଛି। ଆମେ ସର୍ବସମ୍ମତକ୍ରମେ ତାଙ୍କ ଇସ୍ତଫା ଅଗ୍ରାହ୍ୟ କରୁଛୁ। ସେ ଅଧ୍ୟକ୍ଷ ରୁହନ୍ତୁ ବୋଲି ଦଳ ଚାହୁଁଛି।