ଶିବସେନାର ୫୩ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ସପ୍ତାହେ ଭିତରେ ରଖିବେ ଜବାବ
ମୁମ୍ୱାଇ(ଆମ ଟିଭି): ମହାରାଷ୍ଟ୍ର ବିଧାନସଭା ସଚିବ ରାଜ୍ୟର ମୋଟ ୫୫ ଶିବସେନା ବିଧାୟକଙ୍କ ମଧ୍ୟରୁ ୫୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏଥିରେ ୩୯ ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଥିବାବେଳେ ୧୪ ଜଣ ବିଧାୟକ ଉଦ୍ଧର ଠାକରେଙ୍କ ଗୋଷ୍ଠୀର ଅଛନ୍ତି। ଦୁଇ ପକ୍ଷ ପରସ୍ପର ଉପରେ ତିନି ଏବଂ ଚାରି ଜୁଲାଇରେ ବିଧାନସଭା ଅଧ୍ୟକ୍ଷ ନିର୍ବାଚନ ଏବଂ ବିଶ୍ୱାସ ମତ ସମୟରେ ହ୍ୱିପର ଅବହେଳା କରିବା ଅଭିଯୋଗ କରି ଉଭୟ ପକ୍ଷ ବିଧାୟକଙ୍କ ସଦସ୍ୟତା ରଦ୍ଦ ଦାବି କରିଛନ୍ତି । ତେବେ ସିନ୍ଦେ ଗୋଷ୍ଠୀ ଅଯୋଗ୍ୟ କରିବା ପାଇଁ ଦାବି କରିଥିବା ବିଧାୟକଙ୍କ ସୂଚୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ପୁଅ ଆଦିତ୍ୟ ଠାକରେଙ୍କ ନାଁ ସାମିଲ ନାହିଁ।
ସୂତ୍ର ଅନୁସାରେ ବିଧାୟକଙ୍କୁ ସାତ ଦିନ ଭିତରେ ଏହି ନୋଟିସ ଉପରେ ନିଜର ପକ୍ଷ ରଖିବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୪ରେ ଶକ୍ତି ପରୀକ୍ଷଣ ସମୟରେ ୧୬୪ ଜଣ ବିଧାୟକ ବିଶ୍ୱାସ ପ୍ରସ୍ତାବ ସପକ୍ଷରେ ମତ ଦାନ କରିଥିଲେ, ଅନ୍ୟପଟେ ୯୯ ବିଧାୟକ ଏହା ବିରୋଧରେ ମତଦାନ କରିଥିଲେ।