ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ୍ ଜାରି କଲେ ଉପବାଚସ୍ପତି, ମୁମ୍ବାଇ ଓ ଠାଣେରେ ଜାରି ହେଲା ୧୪୪ ଧାରା

0

ମୁମ୍ବାଇ (ଆମ ଟିଭି): ଥମୁନି ମହାରାଷ୍ଟ୍ର ରାଜନୈତିକ  ସଂକଟ। ଏହାରି ମଧ୍ୟରେ ଆଜି  ଶିବସେନାର ୧୬ ବିଦ୍ରେହୀ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ବିଧାସଭା ଉପବାଚସ୍ପତି ନରହରି ଜିରୱାଲ। ଏପଟେ ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କ ନେତୃତ୍ୱ ନେଇଥିବା ଏକନାଥ ସିନ୍ଦେଙ୍କ ଗଡ଼ ଠାଣେ ଓ ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଛି। ବିଧାନସଭା ଉପବାଚସ୍ପତି ଜିରୱାଲ ଶୁକ୍ରବାର ଆଇନଗତ ପରାମର୍ଶ କରିବା ପରେ ଶନିବାର ବିଦ୍ରୋହୀ ବିଧାୟକମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିରେ ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ବିଧାନସଭା ଉପବାଚସ୍ପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଦେଇଛନ୍ତି। ଶିବସେନାର ବିଦ୍ରୋହୀ ବିଧାୟକଙ୍କ ଉପରେ କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ଲାଗି ମୁମ୍ବାଇ ଓ ଠାଣେରେ ପୋଲିସ ସତର୍କତା ସ୍ୱରୂପ ୧୪୪ ଧାରା ଜାରି କରିଛି। ଇତିମଧ୍ୟରେ ଶିବ ସୈନିକମାନେ ମୁମ୍ବାଇ ଓ ପୁଣେରେ ବିଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଣୁ ପୋଲିସ ପକ୍ଷରୁ ସବୁ ଥାନାମାନଙ୍କୁ ଆଗୁଆ ସତର୍କ କରାଯିବା ସହ ଆଇନଶୃଙ୍ଖଳା ଆୟତ୍ତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଠାଣେ ଜିଲ୍ଲାଧିକାରୀ ରାଜେସ ନାର୍ଭେକର ଜିଲ୍ଲାରେ ନିଷେଧାଜ୍ଞା ଜାରି କରିଛନ୍ତି। ଏହି ଆଦେଶ ଆଗାମୀ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଅଧିକାରୀ କହିଛନ୍ତି। ନିଷେଧାଜ୍ଞା ଅନୁସାରେ ଏହି ଅବଧିରେ କୌଣସି ପ୍ରକାର ଶୋଭାଯାତ୍ରାର ଆୟୋଜନ, ପୋଷ୍ଟର ଅଥବା ପ୍ଲାକାର୍ଡ ପ୍ରଦର୍ଶନ ସହିତ ସାଙ୍ଗରେ ହାତ ହତିୟାର ରଖିବା ଓ ନେଇଯିବା ଉପରେ କଟକଣା ଜାରି ହୋଇଛି।

Leave A Reply

Your email address will not be published.