ଭୁବନେଶ୍ୱର (ଆମ ଟିଭି): ମହଙ୍ଗା ପଡ଼ିଲା ଦଳୀୟ ଶୃଙ୍ଖଳା ଭଙ୍ଗ । ମୋକିମଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ । ଆଜି ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ପିସିସି ସଭାପତିଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ୨ ସପ୍ତାହ ମଧ୍ୟର ଜବାବ ଦେବାକୁ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।
ତେବେ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ମୋକିମ ଭୋଟ୍ ଦେଇଥିଲେ। ପୂର୍ବରୁ କଂଗ୍ରେସର ୯ଜଣ ବିଧାୟକ ୟୁପିଏ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଭୋଟ୍ ଦେବେ ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ଏହି ଦଳୀୟ ଶୃଙ୍ଖଳାରୁ ବାହାରି ମହମ୍ମଦ ମୋକିମ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଥିଲା । ପରେ ଆଜି ତାଙ୍କୁ ପିସିସି ସଭାପତିଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।